ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ

ପଦ୍ମପୁର, ୭ା୮(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଅଧୀନ କଞ୍ଚୁଡ଼ି, ଧଳା ଓ ମନ୍ତେଇ ନଦୀରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି। ଦୀର୍ଘଦିନ ଧରି ବାସୁଦେବପୁର ବ୍ଲକର ଚାଷୀମାନେ ବର୍ଷା ଅଭାବରୁ ମରୁଡ଼ି ସମସ୍ୟାର ମୁକାବିଲା କରୁଥିବା ବେଳେ ଲଘୁଚାପ ଜନିତ ବର୍ଷାରେ ଚାଷଜମି ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଗତ ୨୪ ଘଣ୍ଟା ଭିତରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ୧୧୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବର୍ଷା ଲାଗି ରହିଛି। ଫଳରେ ଭଦ୍ରକ ବ୍ଲକର ସାହାଡ଼ା, ବାସୁଦେବପୁର ବ୍ଲକର ପଦ୍ମପୁର, ସୁଗୋ, ଏଡ଼ତାଳ, ଲୁଙ୍ଗା, ଜଗନ୍ନାଥପ୍ରସାଦ ଓ ପୌରାଞ୍ଚଳର ଗୁଆଗାଁ, ବିଷ୍ଣୁବିନ୍ଧା, କଳସିଆ, ଜଖିପୁର ଓ ପାଟ ଅଞ୍ଚଳର ଶହ ଶହ ହେକ୍ଟର ଜମି ଜଳମଗ୍ନ ହୋଇଯାଇଛି। ଚାଷ ଜମି ଉପରେ ୨ ରୁ ୩ ଫୁଟ ବନ୍ୟାଜଳ ପ୍ରବାହିତ ହୋଇଛି। ବର୍ଷା ଲାଗି ରହିଥିବାରୁ ଏହି ବନ୍ୟା ଜଳ ଆସନ୍ତା ସପ୍ତାହ ମଧ୍ୟରେ କମିବାର କୌଣସି ସମ୍ଭାବନା ନାହିଁ। ଧାନତଳି ଓ କଞ୍ଚାରୁଆ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବା ସହ ପଚିବାର ଆଶଙ୍କା ସୃଷ୍ଟି ହୋଇଛି।