ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଓ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ ହୋଇଥିବା ସମସ୍ତ କର୍ମୀଙ୍କୁ ବଳବନ୍ତରାୟ ଓ ପାତ୍ର ଉପଢ଼ୌକନ ଦେଇ ସ୍ବାଗତ କରିଛନ୍ତି। ଭାଜପା ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ଉଭୟ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିବା କର୍ମୀମାନେ କହିଛନ୍ତି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ ସୁଚାରୁରୂପେ ତୁଲାଇବୁ। ବିଜେଡିରେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ମିଶ୍ରଣ ପର୍ବରେ ଭାଜପାର ବରିଷ୍ଠ ନେତା ଚାଞ୍ଚେର ମାଝି, ହରିହର କୁମାର, ରାଜେନ୍ଦ୍ର ମାଳି, ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ପରମାନନ୍ଦ ମାଝି, ଆଦିବାସୀ ସଂଘ ଉପସଭାପତି ଧନସିଂ ମାଝି, ସାଧାରଣ ସମ୍ପାଦକ ଦାଶରଥି ମାଝି, ଆଦିବାସୀ ସଂଘ ସଦସ୍ୟ ଗୌର ଚନ୍ଦ୍ର ମାଝି, ଯୋଗେନ୍ଦ୍ର ମାଝିଙ୍କ ସହ ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।