ଶତାଧିକ ଏକର ତରଭୁଜ ଚାଷ ନଷ୍ଟ

ମାଲକାନଗିରି,୨୦ା୩ (ଡି.ଏନ୍‌.ଏ.): ଚଳିତ ବର୍ଷ ମାଲକାନଗିରି ଜିଲାରେ ବହୁ ଚାଷୀ ତରଭୁଜ ସହ ପୋଟଳ, କାକୁଡି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। ତରଭୁଜ ସହ ଅନ୍ୟ ପନିପରିବା ଅମଳ ହେଲେ ଏହାକୁ ବିକ୍ରି କରି ବେଶ୍‌ କିଛି ଅର୍ଥ ଲାଭ ପାଇବେ। ଏହା ସେମାନଙ୍କ ଫସଲ ପାଇଁ କରିଥିବା ଋଣ ଶୁଝିବାରେ ସହାୟକ ହେବ ବୋଲି ଆଶା ରଖିଥିଲେ। ମାତ୍ର ଅଦିନ କାଳବୈଶାଖୀ ଝଡ ବର୍ଷା ଯୋଗୁ ସେମାନଙ୍କ ସବୁ ଆଶା ମଉଳିଯାଇଛି। ଏବେ ଚାଷୀମାନେ ଚିନ୍ତାରେ ରହିଛନ୍ତି।
ମାଲକାନଗିରି ଜିିଲାରେ ଗତ ୧୬ ତାରିଖରୁ ଆକାଶ ମେଘାଚ୍ଛନ୍ନ ରହି ଅଳ୍ପ କେତୋଟି ସ୍ଥାନରେ ଝିପି ଝିପି ବର୍ଷା ହୋଇଥିଲା। ତେବେ ଶନିବାର ରାତିରେ ପ୍ରବଳ ବର୍ଷା ହେବା ଯୋଗୁ ଜିଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତଗୁଡିକରେ ବହୁ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଜିଲାର ପଡିଆ, କାଲିମେଳା, ମାଲକାନଗିରି, ମାଥିଲି, ଚିତ୍ରକୋଣ୍ଡା ଆଦି ବ୍ଲକରେ ପ୍ରବଳ ବର୍ଷା ହୋଇଛି। ଚିତ୍ରକୋଣ୍ଡା ବ୍ଲକରେ କୁଆପଥର ପଡିଛି। ସେହିପରି ମାଲକାନଗିରି ସଦର ବ୍ଲକ ଏମ୍‌ଭି-୧୧ ଗ୍ରାମ ନିକଟସ୍ଥ ଦାନିଗୁଡା, ଟେକଗୁଡା ଓ କୋଇଲିପାରି ଅଞ୍ଚଳରେ ଚାଷୀଙ୍କ ଏକର ଏକର ଚାଷ ଜମିରେ ଲାଗିଥିବା ତରଭୁଜ ଫସଲ କ୍ଷତି ହୋଇଛି। ଚାଷୀ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଜମିରେ ତରଭୁଜ ଚାଷ କରିଥିଲେ। ଅଦିନିଆ ବର୍ଷାରେ ଫସଲ ଉଜୁଡିଯିବା ପରେ ଏବେ ତରଭୁଜ ଚାଷୀ ଚିନ୍ତାରେ ପଡିଛନ୍ତି। କେବଳ ତରଭୁଜ ନୁହେଁ ଉକ୍ତ ଅଞ୍ଚଳରେ ହୋଇଥିବା ପୋଟଳ, କାକୁଡି ସହ ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ ବର୍ଷା ଯୋଗୁ ନଷ୍ଟ ହୋଇଛି। ମୁଗ ଚାଷ ବି କ୍ଷତିରୁ ବାଦ ପଡିନି। ଝଡବର୍ଷା ହେତୁ ମାଲକାନଗିରି, ପଡିଆ, ମାଥିଲି ଅଞ୍ଚଳରେ ଅନେକ କଚ୍ଚା ଘର କାନ୍ଥ ଭୁଶୁଡି ପଡିଛି। ବହୁ ଲୋକଙ୍କ ଘର ଛାତ ଏବଂ ବିଦ୍ୟାଳୟ ଟିଣ ଛପର ଉଡିଯାଇଛି। ସେସବୁ ଅଞ୍ଚଳରେ ତହସିଲଦାର, ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରୁଛନ୍ତି। କ୍ଷୟକ୍ଷତି ଆକଳନ ପରେ ସବୁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।