Categories: ଜାତୀୟ

ବଜ୍ରପାତରେ ଶତାଧିକ ମୃତ: ବିହାରରେ ୮୩, ୟୁପିରେ ୨୪

ପାଟନା,୨୬ା୬:(ପି.ଟି.):ବିହାରର ବିଭିନ୍ନ ଜିଲାରେ ଗୁରୁବାର ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ୨୪ ଘଣ୍ଟା ମଧ୍ୟରେ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଶିଶୁ ଅଛନ୍ତି। ସେହିପରି ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଓ ବଜ୍ରପାତରେ ୨୪ ଜଣ ପ୍ରାଣ ହରାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ରିପୋର୍ଟ ଅନୁଯାୟୀ ବିହାରରେ ୮୩ ମୃତକଙ୍କ ମଧ୍ୟରୁ କେବଳ ଗୋପାଳଗଞ୍ଜ ଜିଲାରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧୁବଣି ଓ ନଓ୍ବଦାରେ ୮ଜଣ ଲେଖାଏ, ଭାଗଲପୁର ଓ ସିଓ୍ବାନରେ ୬ ଜଣ ଲେଖାଏ, ବାଙ୍କା, ଦରଭଙ୍ଗା ଓ ପୂର୍ବ ଚମ୍ପାରନରେ ୫ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ଅଧିକାଂଶ କ୍ଷେତରେ କାମ କରୁଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ସେହିପରି ଖଗରିଆ ଓ ଔରଙ୍ଗାବାଦ ଜିଲାରେ ୩ ଜଣ ଲେଖାଏ ବଜ୍ରପାତରେ ପ୍ରାଣ ହରାଇଥିବାବେଳେ ଜେହନାବାଦ, କିଶନଗଞ୍ଜ, ପଶ୍ଚିମ ଚମ୍ପାରନ, ଜାମୁଇ, ପୁର୍ନିଆ, ସୁପୌଲ, କୈମୁର ଏବଂ ବକ୍ସାର ଜିଲାରେ ୨ ଜଣ ଲେଖାଏ, ସରନ, ଶିବହର, ସମସ୍ତିପୁର, ମାଧେପୁରା ଏବଂ ସୀତାମାଢ଼ିରେ ଜଣେ ଲେଖାଏ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିହାର ଓ ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଉତ୍ତରପ୍ରଦେଶର ୨୪ ଜଣଙ୍କ ମଧ୍ୟରୁ କେବଳ ଦେଓରିଆ ଜିଲାରେ ୯ ଜଣଙ୍କ ମୃତ୍ୟୁ ଘଟିଛି।

Share