ୟେମେନ ସଂଘର୍ଷରେ ଶହେ ମୃତ

ସାନା, ୮ା୩: ୟେମେନ ସେନା ଏବଂ ହୁତି ଗ୍ରୁପ୍‌ ମଧ୍ୟରେ ସଂଘର୍ଷ ଘଟି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଶହେ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ତାଇଜ୍‌‌ ସହ ମାରିବ୍‌ର ବିଭିନ୍ନ ସ୍ଥାନରେ ଶନିବାର ସଂଘର୍ଷ ହୋଇଥିଲା। ହୁତିମାନେ ମାରିବ୍‌ ଏବଂ ତାଇଜରେ ସରକାରଙ୍କ ନିୟନ୍ତ୍ରଣାଧୀନ ଅଞ୍ଚଳରେ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରୁଥିଲେ ବୋଲି ସେନା କହିଛି। ଏହାକୁ ବନ୍ଦ କରାଯିବାକୁ ୟେମେନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଯୋଗୁ ୬୦ ହୁତି ସଦସ୍ୟ ଏବଂ ୩୬ ସୈନ୍ୟ ନିହତ ହୋଇଛନ୍ତି। ୟେମେନ ସରକାରଙ୍କ ସହ ମେଣ୍ଟ କରିଥିବା ସାଉଦି ଆରବର ଯୁଦ୍ଧବିମାନ ଯୋଗେ ମାରିବ୍‌ର ବିଭିନ୍ନ ସାଇଟ୍‌ରେ ହୁତି ଗ୍ରୁପ୍‌ ଉପରେ ପ୍ରାୟ ୨୬ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଛି। ୨୦୧୪ରୁ ୟେମେନରେ ଗୃହଯୁଦ୍ଧ ଚାଲିଥିବାବେଳେ ହୁତିମାନେ ଦେଶର ବିଭିନ୍ନ ଅଞ୍ଚଳକୁ ଦଖଲ କରିଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଉପରେ ରୋକ ଲଗାଯିବାକୁ ସେନା ପକ୍ଷରୁ ପଦକ୍ଷେପ ନିଆଯାଉଛି।

Share