ଛତ୍ରପୁର,୪ା୪: ଛତ୍ରପୁର ଉପକଣ୍ଠ ହୁମ୍ମାଠାରେ ରହିଥିବା ସାପ୍ତାହିକ ହାଟ ଏବେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାକୁ ନେଇ ହୁମ୍ମା ପଞ୍ଚାୟତ ବାସିନ୍ଦାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ହାଟ ପୂର୍ବାବସ୍ଥା ବଜୟୀ ରଖିବା ଦାବି ନେଇ ଶୁକ୍ରବାର ହୁମା ପଞ୍ଚାୟତବାସୀ ଗଞ୍ଜାମ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଆଜକୁ ଦୀର୍ଘ ୬୦ ବର୍ଷ ଧରି ହୁମ୍ମାଠାରେ ଶୁଖୁଆ ହାଟ ବସି ହେବା ଯୋଗୁ ସ୍ଥାନୀୟ ବାସିନ୍ଦା ପନିପରିବା କ୍ରୟ ବିକ୍ରୟ କରିବା ସହ ହାଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଖୁଆ ଆସି ଏଠାରେ ବିକ୍ରୟ ଯୋଗୁ ଏଠାରୁ ହିଁ ରାଜସ୍ବ ଆଦାୟ କରାଯାଇ ହୁମ୍ମା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଲାଗି ଆସୁଛି l ଖାଲି ସେତିକି ନୁହେଁ ପ୍ରତି ବର୍ଷ ଏଠାରେ ହୁମ୍ମାର ଐତିହାସିକ ପଞ୍ଚୁଦୋଳ ହୋଇଆସୁଛି l କିନ୍ତୁ ଏବେ ମତ୍ସ୍ୟ ବିଭାଗକୁ ଏହା ହସ୍ତାନ୍ତର କରାଯିବା ଫଳରେ ପଞ୍ଚାୟତର ରାଜସ୍ବ ହାନି ଘଟିବା ସହ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ବୋଲି ହୁମ୍ମା ପଞ୍ଚାୟତ ବାସିନ୍ଦା ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଗୁହାରି କରିଛନ୍ତି। ଏହା ସହ ଏକ ସ୍ମାରକ ତ୍ର ମଧ୍ୟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି l ଏହି ଦାବିପତ୍ର ପ୍ରଦାନ ବେଳେ ହୁମ୍ମା ପଞ୍ଚାୟତର ସରପଞ୍ଚ ଜାନକୀ ଦାସ, ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଘୁନାଥ ସାହୁ, ପ୍ରଶାନ୍ତ ପରିଡ଼ା, ସୁରେନ୍ଦ୍ର ମାଳି, ଜିତେନ୍ଦ୍ର ମୁଳି, ମୋଚିରାମ ଗୌଡ଼, ଅରୁଣ ପଲାଇ, ଅନାଥ ସାହୁ ଲକ୍ଷ୍ମୀ ଦାସ, କାଳୁ ବେହେରାଙ୍କ ସମେତ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।


