ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତର ନାଏବ ସରପଞ୍ଚ ନରସିଂହପୁର ଗ୍ରାମର ଜି.ଶେଖର ଦୋରା ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ମନିପର୍ସକୁ ଫେରାଇ ପ୍ରଶଂସା ସାଉଣ୍ଟିଛନ୍ତି। ଶେଖର ବାଇକ୍ ଯୋଗେ ବ୍ରହ୍ମପୁର ନିକଟ ଲାଞ୍ଜିଆ ଗ୍ରାମକୁ ଯାଉଥିବା ବେଳେ ମହୁରୀ କାଳୁଆ ଛକରେ ତାଙ୍କୁ ଏକ ମନିପର୍ସ ମିଳିଥିଲା। ସେଥିରେ ୧୩୫୦୦ ଟଙ୍କା,୩ଟି ଏଟିଏମ୍ କାର୍ଡ, ଆଧାର କାର୍ଡ ଥିବା ଦେଖିଥିଲେ। ସେ ଟଙ୍କା ପ୍ରତି ଲୋଭ ନ କରି ସଙ୍ଗେ ସଙ୍ଗେ ଦିଗପହଣ୍ଡି ଥାନାରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଉକ୍ତ ମନିପର୍ସ ପ୍ରଦାନ କରିବା ସହ ପ୍ରକୃତ ବ୍ୟକ୍ତିଙ୍କୁ ଚିହ୍ନଟ କରି ମନିପର୍ସଟିକୁ ଫେରାଇଦେବାକୁ ଅନୁରୋଧ କରିଥିଲେ। ପୋଲିସ ମନିପର୍ସ ପଡ଼ିଯାଇଥିବା ଯୁବକଙ୍କ ଠିକଣା, ଫୋନ୍ ନଂ ସଂଗ୍ରହ କରି ତାଙ୍କୁ ଥାନାକୁ ଡକାଇ ପ୍ରମାଣ ପାଇବା ପରେ ଉକ୍ତ ଟଙ୍କା, ପର୍ସ,ଏଟିଏମ୍ କାର୍ଡ ଓ ଆଧାରକାର୍ଡ ଫେରାଇଥିବା ଜଣାପଡ଼ିଛି।
ଚାଞ୍ଚଡ଼ାପଲ୍ଲୀ ଗ୍ରାମର ଗଣେଶ ସ୍ବାଇଁ କୁକୁଡ଼ାଖଣ୍ଡି ବ୍ଲକ ବଉଳଝୋଳି ଗାଁ ଯାତ୍ରାରେ ଚାଲିଥିବା ନାଟକ ଦେଖି ବାଇକ ଯୋଗେ ଗାଁକୁ ଫେରିବା ରାସ୍ତାରେ ପ୍ୟାଣ୍ଟ ପକେଟରୁ ତାଙ୍କ ମନିପର୍ସଟି କେଉଁଠାରେ ପଡ଼ିଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମନିପର୍ସ ମିଳି ନ ଥିଲା। ସେ ମନଦୁଃଖରେ ଘରକୁ ଯାଇଥିଲେ। ପରେ ଦିଗପହଣ୍ଡି ଥାନାରୁ ଜଣେ ଅଧିକାରୀ ତାଙ୍କୁ ଫୋନ୍ କରି ଥାନାକୁ ଡକାଇଥିଲେ। ଗଣେଶ ଥାନାରେ ପହଞ୍ଚିବା ପରେ ବାସୁଦେବପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଜି.ଦାସ ରେଡ୍ଡୀ, ତାଙ୍କ ସାଙ୍ଗସାଥୀ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଶେଖର ତାଙ୍କୁ ସମସ୍ତ ଟଙ୍କା ସହ ମନିପର୍ସ,ଏଟିଏମ୍ କାର୍ଡ, ଆଧାରକାର୍ଡ ଓ ପର୍ସରେ ଥିବା କିଛି ଜରୁରୀ କାଗଜପତ୍ର ଫେରାଇଥିଲେ। ଏନେଇ ଶେଖରଙ୍କୁ ପଚାରିବାରୁ ମନିପର୍ସଟି ରାସ୍ତାରୁ ପାଇବା ପରେ ପ୍ରକୃତ ବ୍ୟକ୍ତିଙ୍କୁ କିଭଳି ହଜିଯାଇଥିବା ମନିପର୍ସ ଫେରାଇବେ ସେ ନେଇ ଚିନ୍ତିତ ହୋଇପଡ଼ିଥିଲେ। ନିଜର କିଛି ପଦାର୍ଥ ହଜିଗଲେ କିମ୍ବା ଟଙ୍କା ପଡ଼ିଗଲେ ଯେମିତି ବହୁତ ଦୁଃଖ ଲାଗେ ସେଭଳି ଯାହାର ମନିପର୍ସଟି ଅସାବଧାନତା କାରଣରୁ ପଡ଼ିଯାଇଛି ସେ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିବେ। ଏହି ଚିନ୍ତା ତାଙ୍କୁ ଆନ୍ଦୋଳିତ କରିଥିଲା। ପରେ ସେ ଥାନାରେ ପହଞ୍ଚି ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ସମସ୍ତ ଘଟଣା କହିଥିଲେ। ଜଣେ ପୋଲିସ ଅଧିକାରୀ ଚାଞ୍ଚଡାପଲ୍ଲୀ ଗ୍ରାମର କିଛି ବ୍ୟକ୍ତିଙ୍କଠାରୁ ଗଣେଶଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ତାଙ୍କୁ ଯୋଗାଯୋଗ କରିବା ପରେ ଥାନାକୁ ଡକାଇ ମନିପର୍ସ ଫେରାଇ ଥିଲେ। ଆଜିକାର ସ୍ବାର୍ଥପର ଯୁଗରେ ମାନବିକତା ଓ ସତ୍ୟନିଷ୍ଠା ବଞ୍ଚିଛି ବୋଲି ଗଣେଶ ତାଙ୍କ ପ୍ରତିକ୍ରିୟାରେ କହିବା ସହ ଖୁବ୍ ଖୁସି ପ୍ରକଟ କରିଛନ୍ତି।