ମାନବବାଦ ଶ୍ରେଷ୍ଠ ଧର୍ମ

ଭାଜପାର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଏବେ ଦେଶ ତଥା ଦେଶ ବାହାରେ ଅଶାନ୍ତିର ଝଡ଼ ସୃଷ୍ଟି ହୋଇଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଏହାକୁ ତୀବ୍ର ବିରୋଧ କରିବା ସହ ହିଂସା ଭିଆଇଛନ୍ତି। କିନ୍ତୁ କୌଣସି ଧର୍ମ ହିଂସାକୁ ପ୍ରଶ୍ରୟ ଦିଏ ନାହିଁ। ଯଃ ଧାରୟତି ଇତି ସଃ ଧର୍ମ। ଅର୍ଥାତ୍‌ ଯିଏ ଧରାକୁ ରକ୍ଷାକରେ ତାହା ହେଉଛି ଧର୍ମ। ତେଣିକି ସେ ହିନ୍ଦୁ ହେଉ କି ମୁସଲମାନ କି ଖ୍ରୀଷ୍ଟିଆନ। ଏକ ସ୍ବାଧୀନ ରାଷ୍ଟ୍ରରେ ସମସ୍ତଙ୍କୁ ବାକ୍‌ ସ୍ବାଧୀନତା ମିଳିଛି। ତେଣୁ କିଏ କାହା ଧର୍ମକୁ ନେଇ କ’ଣ ମନ୍ତବ୍ୟ ଦେଲା ତାହାକୁ ନେଇ ଧନ ଜୀବନ ହାନି ଘଟାଇବା ସବୁଠୁ ବଡ଼ ଅପରାଧ। ଅପରପକ୍ଷେ ଯେଉଁମାନେ ଧର୍ମକୁ ନେଇ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିବାକୁ ଚାହାନ୍ତି ସେମାନେ ଚର୍ଚ୍ଚାରେ ରହିବା ଲାଗି ଏପରି ମନ୍ତବ୍ୟ ଦିଅନ୍ତି। ଯେଉଁମାନେ ଏହା ବୁଝି ନ ପାରି ସେମାନଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦେଇ ହିଂସାକାଣ୍ଡ ସୃଷ୍ଟି କରନ୍ତି ସେମାନେ ସବୁଠୁ ବଡ଼ ମୂର୍ଖ ବୋଲାନ୍ତି। ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଓ ଏହାକୁ ନେଇ ହିଂସାକାଣ୍ଡ ଆମ ଦେଶରେ ନୂଆ କଥା ନୁହେଁ। ଯେତେବେଳେ ଭାରତ ଏକ ସାର୍ବଭୌମ ଧର୍ମନିରପେକ୍ଷ ରାଷ୍ଟ୍ର ଭାବରେ ସମ୍ବିଧାନ ସ୍ବୀକୃତ ସେତେବେଳେ ସବୁ ଧର୍ମକୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ। କ୍ଷୁଦ୍ର ମାନସିକତା ରଖୁଥିବା ନେତାମାନେ ଏପରି ଟିପ୍ପଣୀ ଦେଇ ହିଂସାକୁ ଉସୁକାଇବାକୁ ଚେଷ୍ଟା କରନ୍ତି ଓ ସେଥିରୁ ଫାଇଦା ନେବାକୁ ଚାହାନ୍ତି। ଯେଉଁ ଦେଶ ସର୍ବଧର୍ମ ସମନ୍ବୟର ବାର୍ତ୍ତା ବିଶ୍ୱକୁ ପ୍ରଦାନ କରୁଛି ସେଠି ଏହି କ୍ଷୁଦ୍ର ମାନସିକତାସମ୍ପନ୍ନ ଲୋକମାନଙ୍କର ଟିପ୍ପଣୀ ମୂଲ୍ୟହୀନ। ଭାରତ ସର୍ବଦା ମାନବବାଦର ବାର୍ତ୍ତା ପ୍ରଚାର କରିଆସିଛି। ସୁଦୂର ଶିକାଗୋରେ ସ୍ବାମୀ ବିବେକାନନ୍ଦ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଯେଉଁ ଓଜସ୍ବୀ ଭାଷଣ ରଖିଥିଲେ ତାହା ଦିନେ ସାରା ବିଶ୍ୱକୁ ସ୍ତମ୍ଭୀଭୂତ କରିଦେଇଥିଲା। ସବୁ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କୁ ଏକତ୍ରକରି ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସା ବଳରେ ଯେଉଁ ସ୍ବାଧୀନତା ଆଣି ପାରିଲେ ତାହା ଇତିହାସରେ ବିରଳ। ଏମିତି ଏକ ଦେଶରେ ଜନ୍ମ ନେଇ ଆମେ ନିଜକୁ କାହିଁକି ଧର୍ମର ସଂକୀର୍ଣ୍ଣ ଗଣ୍ଡିରେ ଆବଦ୍ଧ କରି ରଖିବା। ପ୍ରେମ ଓ ମାନବବାଦର ରଜୁରେ ପରସ୍ପରକୁ ବାନ୍ଧି ରଖି ସାରା ବିଶ୍ୱ ପାଇଁ କାହିଁକି ଉଦାହରଣ ନ ପାଲଟିବା। ହଁ , ଆମ ଭିତରେ ସେହି ସଂହତି ସହୃଦୟତା ରହିଛି, କିନ୍ତୁ ତାହା ସୁପ୍ତ ଅବସ୍ଥାରେ। ଏହାର ଏକ ସଦ୍ୟ ଉଦାହରଣ ଦେଉଛି। ଛତିଶଗଡ଼ର ଜାଞ୍ଜଗିର ଚାମ୍ପା ଜିଲା ପିରହ୍ରିଡ ଗ୍ରାମରେ ୮୦ ଫୁଟ ଗଭୀର ଏକ ବୋର୍‌ୱେଲ୍‌ ଗାତରେ ରାହୁଲ ସାହୁ ନାମକ ୧୦ବର୍ଷର ଶିଶୁ ଖସିପଡ଼ିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କଲା। ସେହି ଶିଶୁ ପାଇଁ ତା’ର ମା’ବାପା ଦିନରାତି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ତ ସ୍ବାଭାବିକ। କିନ୍ତୁ ଦେଖିବାକୁ ମିଳିଥିଲା ରାହୁଲଙ୍କ ଉଦ୍ଧାର ପାଇଁ ସାରା ଦେଶବାସୀ ଧର୍ମ, ଜାତି, ସମ୍ପ୍ରଦାୟ ଭୁଲି ନିଜ ନିଜ ଇଷ୍ଟଙ୍କ ପାଖରେ ତାଙ୍କ ଜୀବନ ରକ୍ଷା ଲାଗି ପ୍ରାର୍ଥନା କରିଥିଲେ। ସମସ୍ତଙ୍କ ପ୍ରାର୍ଥନା ଫଳବତୀ ହେଲା ଓ ରାହୁଲ ଉଦ୍ଧାର ପାଇଲେ। ଏହା କ’ଣ କମ୍‌ ବଡ଼ କଥା। ଏଇଠୁ ଭାରତୀୟଙ୍କ ସହୃଦୟତା ଆକଳନ କରିହୁଏ। ରାହୁଲ ଆଜି କେବଳ ତାଙ୍କ ମା’ବାପାଙ୍କର ନୁହନ୍ତି, ସାରା ଦେଶବାସୀଙ୍କ ସନ୍ତାନ ପାଲଟିଯାଇଛନ୍ତି। ପ୍ରତି ଭାରତୀୟଙ୍କ ହୃଦୟରେ ଯେ ଈଶ୍ୱର ବାସ କରନ୍ତି (ସେ ଜଗନ୍ନାଥଙ୍କ ରୂପରେ ହୁଅନ୍ତୁ କି ଆଲ୍ଲା ରୂପରେ କିମ୍ବା ଯିଶୁ ରୂପରେ) ଏହା ତା’ର ପ୍ରମାଣ।
ଆମେ ସମସ୍ତେ ଜାଣିରଖିବା ଉଚିତ ଯେ, ପ୍ରଥମେ ଆମେ ଜଣେ ଜଣେ ମଣିଷ; ପରେ ଯାଇ ଧର୍ମ, ଯାହାକୁ ଆମେ ହିଁ ତିଆରି କରିଛୁ। ଧର୍ମ ତିଆରି ହେଲା ମଣିଷପଣିଆ କଥା ଶିଖେଇବାକୁ, ଠିକ୍‌ ବାଟ ଦେଖାଇବାକୁ। ବିଭିନ୍ନ ଧର୍ମର ସ୍ରଷ୍ଟାମାନେ ଈଶ୍ୱରଙ୍କୁ ଭିନ୍ନ ଭିନ୍ନ ରୂପରେ ବର୍ଣ୍ଣନା କରିଥିଲେ ମଧ୍ୟ ସ୍ରଷ୍ଟା ଯେ ଏକ ତାହା ମଧ୍ୟ ସୂଚିତ କରିଛନ୍ତି। ସବୁ ଧର୍ମର ଉଦ୍ଦେଶ୍ୟ ସତ୍ୟ, ଅହିଂସା ଓ ଶାନ୍ତିରେ ଧରିତ୍ରୀ ମାତା କୋଳରେ ସହବସ୍ଥାନ କରିବା। ଧର୍ମର ମୂଳ ଉଦ୍ଦେଶ୍ୟ ନ ବୁଝି ଆମେ ସମସ୍ତେ ଯଦି ଧର୍ମ ନାମରେ ହିଂସା, ରକ୍ତପାତ ସୃଷ୍ଟି କରିବେ ତେବେ ଏ ସୁନ୍ଦର ପୃଥିବୀ ଧ୍ୱଂସହେବାକୁ ନିମିଷକେ ବି ସମୟ ଲାଗିବ ନାହିଁ। ଧର୍ମ ନୁହେଁ, ସବୁରି ଉପରେ ମାନବବାଦ- ଏହା ଯଦି ଆମେ ବୁଝିଯିବା ତେବେ ଧର୍ମକୁ ନେଇ ତିକ୍ତତା ସୃଷ୍ଟି କରିବାକୁ ଚାହୁଁଥିବା ଲୋକମାନେ ବି ଆପେ ଆପେ ଚୁପ୍‌ ହୋଇଯିବେ।

– ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ
ମୋ:୯୯୩୮୧୯୭୭୨୯


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri