ଭାରତରେ ଟିକାର ମାନବ ପରୀକ୍ଷା ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ,୧୫ା୭: ଭାରତରେ ଦୁଇଟି ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ଲାବରେଟୋରି ପରୀକ୍ଷା ସଫଳ ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ମାନବ ଶରୀରରେ ଏହାର ପରୀକ୍ଷା ଆରମ୍ଭ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି। ମୂଷା ଓ ଠେକୁଆଠାରେ ହୋଇଥିବା ପରୀକ୍ଷାର ରିପୋର୍ଟ ଡିସିଜିଆଇ ନିକଟରେ ଦାଖଲ ହୋଇଥିଲା। ଚଳିତ ମାସରୁ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷା କରିବା ପାଇଁ ଡିସିଜିଆଇ ଅନୁମତି ଦେଇସାରିଛି। ଏଥିପାଇଁ ଉଭୟ ସଂସ୍ଥା ସ୍ଥାନ ଠିକ୍‌ କରିସାରିଲେଣି। ବିଭିନ୍ନ ସ୍ଥାନରେ ୧୦୦୦ ସ୍ବେଚ୍ଛାସେବୀଙ୍କ ଉପରେ ଟିକାର ପରୀକ୍ଷା ହେବ ବୋଲି ଆଇସିଏମ୍‌ଆର୍‌ ମୁଖ୍ୟ କହିଛନ୍ତି। ରୁଷିଆ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷାରେ ସଫଳ ହୋଇଛି। ଏହାବ୍ୟତୀତ ଚାଇନା, ଆମେରିକା, ବ୍ରିଟେନ ପ୍ରଭୃତି ଦେଶ ଟିକା ପ୍ରସ୍ତୁତି ଲାଗି ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି।

Share