Categories: ଜାତୀୟ

ଓଡ଼ିଶାରେ ସର୍ବାଧିକ ମାନବ ଚାଲାଣ

ନୂଆଦିଲ୍ଲୀ,୩୧ା୮: ୨୦୨୧ରେ ମାନବ ଚାଲାଣରେ ଓଡ଼ିଶା ସାରା ଦେଶରେ ଆଗୁଆ ରହିଥିବା ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଗତ ବର୍ଷ ଦେଶରେ ୬,୫୩୩ ମାନବ ଚାଲାଣ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ଓଡ଼ିଶାର ପୀଡ଼ିତଙ୍କ ସଂଖ୍ୟା ୧,୪୭୫। ରାଜ୍ୟର ୪୪୪ ମହିଳା ଓ ୪୯୭ ଶିଶୁଙ୍କୁ ଚାଲାଣ କରି ଅନ୍ୟ ରାଜ୍ୟକୁ ନିଆଯାଇଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଦେଶରେ ୬,୨୧୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧,୨୯୦ ଜଣ ଓଡ଼ିଶାର। ୧,୨୯୦ ଜଣଙ୍କ ମଧ୍ୟରୁ ୧,୦୧୮ ଜଣଙ୍କୁ ଶ୍ରମିକ ଭାବେ ଖଟାଇବା ପାଇଁ ଚାଲାଣ କରାଯାଇଥିବା ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୧’ ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ରେ ରାଜ୍ୟର ୭୪୧ ଜଣଙ୍କୁ ଚାଲାଣ କରାଯାଇଥିବାବେଳେ ମାମଲା ସଂଖ୍ୟା ୧୦୩ ରହିଥିଲା। ସେହିପରି ୨୦୨୧ରେ ୧୩୬ ମାନବ ଚାଲାଣ ଅଭିଯୋଗ ହୋଇଥିଲା। ଅନେକ ମାମଲାରେ ଏକାଧିକ ଜଣଙ୍କୁ ଚାଲାଣ କରାଯାଇଥିବା ଏଥିରୁ ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି), ସ୍ବତନ୍ତ୍ର ଓ ସ୍ଥାନୀୟ ଆଇନ ବଳରେ ମାମଲା ସଂଖ୍ୟା ୧୫.୧୯% ବୃଦ୍ଧି ପାଇଛି। ଦଳିତଙ୍କ ବିରୋଧରେ ଅପରାଧକୁ ନେଇ ମାମଲା ସଂଖ୍ୟାରେ ୧୩.୭୩% ବୃଦ୍ଧି ଘଟିଛି। ସେହିପରି ଆଦିବାସୀଙ୍କ ବିରୋଧରେ ୮.୩୩% ମାମଲା ବଢ଼ିଥିବା କୁହାଯାଇଛି। ବାଲ୍ୟ ବିବାହ କ୍ଷେତ୍ରରେ ଓଡ଼ିଶା ୬୪ ମାମଲା ସହ ଦେଶର ପଞ୍ଚମ ସ୍ଥାନ ଅଧିକାର କରିଛି। ୫,୦୬୨ ହତ୍ୟା ଉଦ୍ୟମ ଓ ୨,୮୧୪ଟି ଡକାୟତି ମାମଲା ରୁଜୁ ହୋଇଛି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଏହି ଦୁଇ ଅପରାଧର ହାର ଓଡ଼ିଶାରେ ଦ୍ୱିତୀୟ ସର୍ବାଧିକ। ରାଜ୍ୟରେ ୧,୪୧୧ ଜଣ ହତ୍ୟାର ଶିକାର ହୋଇଥିବାବେଳେ ୫,୬୩୦ ଅପହରଣ ମାମଲା ରୁଜୁ ହୋଇଛି। ଗତବର୍ଷ ହିଟ୍‌ ଆଣ୍ଡ୍‌ ରନ୍‌ ଭଳି ସଡ଼କ ଦୁର୍ଘଟଣା ସମେତ ଅବହେଳା କାରଣରୁ ୫,୦୮୧ ଜଣଙ୍କ ମୃତ୍ୟୁ ଘଟିଥିବା ଏନ୍‌ସିଆର୍‌ବି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share