କେନାଲରୁ ମଣିଷ ଖପୁରି ଜବତ

ଜଗତ୍‌ସିଂହପୁର ଅଫିସ,୪।୪: ଜଗତ୍‌ସିଂହପୁର ଥାନା ମାର୍କଣପୁର ଅନ୍ତର୍ଗତ ବଡ଼ବାଗ ନିକଟ ଶୁଖିଲା ମାଛଗଁା କେନାଲରୁ ଶନିବାର ଗୋଟିଏ ମଣିଷ ଖପୁରି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ମାମଲା (ନଂ. ୧୮/୨୨) ରୁଜୁ କରାଯାଇଛି। ଉକ୍ତ ଖପୁରିକୁ ପରୀକ୍ଷା ପାଇଁ କଟକସ୍ଥିତ ଫୋରେନ୍‌ସିକ ଲାବରେଟାରିକୁ ପଠାଯାଇଛିି। ଖପୁରିଟି ବଡ଼ବାଗ ଅଞ୍ଚଳର ରାମଚନ୍ଦ୍ର ସାହୁଙ୍କର ବୋଲି ଆଶଙ୍କା କରାଯାଉଛି। ବ୍ରାଉନ୍‌ସୁଗାର କାରବାରକୁ ନେଇ ଗତ ଅକ୍ଟୋବରରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହାପରେ ଏକ ଅଖାରେ ତାଙ୍କୁ ଭର୍ତ୍ତି କରି ଅଭିଯୁକ୍ତମାନେ ଉକ୍ତ କେନାଲରେ ପିଙ୍ଗି ଦେଇଥିଲେ। ସେତେବେଳେ କେନାଲରେ ପାଣି ଥିଲା। ଦଳଯୋଗୁ ଅଖାଟି ଭାସି ପାରି ନ ଥିଲା। ପରବର୍ତ୍ତୀ ସମୟରେ ଅଖା ସହ ରାମଚନ୍ଦ୍ରଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ମାତ୍ର ତାଙ୍କ ମୁଣ୍ଡ ମିଳି ନ ଥିଲା। ଏବେ କେନାଳ ପାଣି ଶୁଖିବା ପରେ ମିଳିଥିବା ଖପୁରିକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।