Categories: ଜାତୀୟ

ଏନ୍‌କାଉଣ୍ଟର ହତ୍ୟା ଘଟଣାରେ ନୀରବ ଦ୍ରଷ୍ଟା ସାଜିଛନ୍ତି ମାନବାଧିକାର କମିଶନ, ବିଚାରପତି ଲୋକୁର…

ନୂଆଦିଲ୍ଲୀ,୧।୧୧: ଦେଶରେ ବିଭିନ୍ନ ସମୟରେ ହେଉଥିବା ଏନ୍‌କାଉଣ୍ଟର ହତ୍ୟା ଘଟଣାରେ ଜାତୀୟ ତଥା ରାଜ୍ୟ ମାନବାଧିକାର କମିଶନ କେବଳ ନୀରବଦ୍ରଷ୍ଟା ସାଜିଛନ୍ତି। ଏଭଳି ସଂସ୍ଥାର କୌଣସି ଗୁରୁତ୍ୱ ନ ଥିବା ଭଳି ମନେ ହେଉଛି। ତେଣୁ ଏସବୁ ସଂସ୍ଥାଗୁଡ଼ିକୁ ଉଚ୍ଛେଦ କରିଦେବା ଆବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ ବିଚାରପତି ମଦନ ବି. ଲୋକୁର ଏଭଳି କହି କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ଘଟଣାରେ ନ୍ୟାୟପାଳିକା ବିସାଦଗ୍ରସ୍ତ ହୋଇପଡ଼ିଥିବା ଲୋକୁର କହିଛନ୍ତି।

୨୦୧୭ରେ ମଣିପୁରରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଦ୍ୱାରା ଘଟିଥିବା ମୃତ୍ୟୁ ଘଟଣାରେ ଶୀର୍ଷକୋର୍ଟ ସିବିଆଇକୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମଣିପୁର ପୋଲିସ ଏହି ଘଟଣାରେ ଏଫ୍‌ଆଇଆର୍‌ ମଧ୍ୟ କରି ନ ଥିଲେ। ମୃତକ ପରିବାରର ଆକୁଳ ଆବେଦନ ନିଷ୍ଫଳ ହୋଇଥିଲା।

କୌଣସି ଆପରାଧିକ ରେକର୍ଡ ନ ଥିଲେ ମଧ୍ୟ ମୃତକଙ୍କୁ ଉଗ୍ରବାଦୀ ଭାବେ ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ୩ ବର୍ଷରୁ ଅଧିକ ସମୟ ବିତିଯାଇଛି। ମୃତକଙ୍କ ପରିବାରର ସ୍ଥିତି କ’ଣ ତାହା ମଧ୍ୟ ଅଜଣା। କିଏ କାହାକୁ କାହିଁକି ହତ୍ୟା କଲା ତାହା ବି ରହସ୍ୟ ଘେରରେ ବୋଲି ଲୋକୁର କହିଛନ୍ତି।

ଏପରିସ୍ଥଳେ ମାନବାଧିକାର କମିଶନଙ୍କର ଭୂମିକା କିଛି ଅଛି କି ନାହିଁ ତାହା ଲୋକୁର ପ୍ରଶ୍ନ କରିଛନ୍ତି। ହତ୍ୟା କରାଯାଇଥିବା ପରିବାରକୁ ୫ ଲକ୍ଷ ଅବା ୧୦ ଲକ୍ଷ କ୍ଷତିପୂରଣ ଦେଇଦେଲେ କ’ଣ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

Share