ମଣିଷସଂଖ୍ୟା କମୁଛି

ମନେପଡୁଛି ପିଲାବେଳର କଥା। ବହିପତ୍ର କିଣିବାଠାରୁ ଆରମ୍ଭ କରି କୌଣସି ବଡ଼ ଧରଣର ବଜାର କାମରେ ବା ଅଫିସ କାମରେ ବ୍ରହ୍ମପୁର ଯିବାକୁ ପଡ଼େ। ସେଥିପାଇଁ ଭଡ଼ା ସାଇକେଲ ଆମ୍ଭମାନଙ୍କ ଭଳି ଗ୍ରାମୀଣ ଦୂରିଆ ଲୋକଙ୍କର ଏକମାତ୍ର ନିର୍ଭରଯୋଗ୍ୟ ସାହାରା ଥିଲା। ତିରିଶ ବର୍ଷ ତଳେ ସମାଜ ଜଟିଳ ନଥିଲା। ମୋ ବିଚାରରେ ସେତେବେଳେ ଲୋକସଂଖ୍ୟା ଅପେକ୍ଷା ମଣିଷସଂଖ୍ୟା ବେଶି ଥିଲେ। ଆସ୍ଥା, ବିଶ୍ବାସ, ପରସ୍ପର ପ୍ରତି ସହଯୋଗ ଇତ୍ୟାଦି ସମାଜର ସାଧାରଣ ଚରିତ୍ର ଥିଲା। ଅବିଶ୍ବାସ, ସନ୍ଦେହ, ଠକାମି ଇତ୍ୟାଦି ପ୍ରାୟତଃ ନଥିଲା କହିଲେ ଚଳେ। ମୋର ମନେଅଛି ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ପାର୍ଶ୍ୱରେ ଭଡ଼ାରେ ସାଇକେଲ ମିଳୁଥାଏ। କେବଳ ନିଜ ନାମ ଓ ଠିକଣା ଲେଖିଦେଲେ ସାଇକେଲଟି ଦେଇ ଦିଅନ୍ତି। ସେତେବେଳେ କୌଣସି ଫୋନ ନମ୍ବରର ବ୍ୟବସ୍ଥା ମଧ୍ୟ ନଥାଏ। ଚାହିଁଲେ ଜଣେ ସାଇକେଲ ନେଇ ପଳେଇ ପାରିବ। କିନ୍ତୁ ସେଭଳି ଉଦାହରଣ ପ୍ରାୟତଃ ନଥିଲା। କାରଣ ବାରମ୍ବାର ଭଡ଼ାରେ ସାଇକେଲ ନେବା ପରେ ସେ ଲୋକଟି ସହ ମୋର ଭଲ ପରିଚୟ ହୋଇଯାଇଥିଲା। ଥରେ ଏ ବାବଦରେ ପଚାରିଥିଲି। ସେ ଲୋକଟି ସ୍ପଷ୍ଟ କହିଥିଲେ ଧର୍ମ, ନ୍ୟାୟ ଓ ବିଶ୍ବାସ ଅଛି ବୋଲି ଦୁନିଆ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋକଟି ଏତେ ସଚ୍ଚୋଟ ଯେ ଠିକ୍‌ ସମୟର ଭଡ଼ା ନିଅନ୍ତି। ମାନେ ଯଦି ଆପଣ ଏକ ଘଣ୍ଟା ପଞ୍ଚଚାଳିଶ ମିନିଟ ସାଇକେଲ ବ୍ୟବହାର କରିଛନ୍ତି, ସେ ଆପଣଙ୍କୁ ଆଉ ପନ୍ଦର ମିନିଟ ଚଳାଇ ଦୁଇ ଘଣ୍ଟାର ଭଡ଼ା ଦେବାକୁ ପରାମର୍ଶ ଦେବେ କିମ୍ବା ନିିର୍ଦ୍ଧାରିତ ସମୟର ଭଡ଼ା ରଖନ୍ତି। ଦେଖନ୍ତୁ ଅଳ୍ପ ପାଠୁଆ ଓ ସ୍ବଳ୍ପ ରୋଜଗାରିଆ ଲୋକଟିର ମାନସିକତା, ମଣିଷପଣିଆ ଓ ମହତମଣିଆ କେତେ ଉଚ୍ଚକୋଟୀର ଥିଲା। ସେତେବେଳେ ଲୋକମାନେ ସଚ୍ଚୋଟ,ବିଶ୍ବାସୀ ଓ ନ୍ୟାୟବନ୍ତ ଥିଲେ। ସେଥିପାଇଁ କୁହାଯାଇପାରେ ସେତେବେଳେ ଲୋକସଂଖ୍ୟା ଅପେକ୍ଷା ମଣିଷ ସଂଖ୍ୟା ବେଶି ଥିଲା।
ଆଜି ପରିସ୍ଥିତି ବଦଳିଛି। ଲୋକସଂଖ୍ୟା ହୁହୁ ହୋଇ ବଢୁଛି ଏବଂ ମଣିଷସଂଖ୍ୟା କ୍ରମ ବର୍ଦ୍ଧିଷ୍ଣୁ ଗତିରେ କମିବାରେ ଲାଗିଛି। ପାଠୁଆ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହେଉଛି ହେଲେ ଶିକ୍ଷିତମାନଙ୍କ ସଂଖ୍ୟା ଆଶାତୀତ ଭାବରେ କମିଚାଲିଛି। ଆଜିକାଲିର ପାଠୁଆମାନଙ୍କ ମଧ୍ୟରୁ ମଣିଷ ସଂଖ୍ୟା ବହୁତ କମ୍‌। ସେମାନଙ୍କର ସମାଜ, ରାଷ୍ଟ୍ର ତଥା ବିଶ୍ବ କଲ୍ୟାଣ ପାଇଁ ସମ୍ବେଦନଶୀଳ ମନୋବୃତ୍ତିର ଘୋର ଅଭାବ। ବୃତ୍ତିଗତ ନୈତିକତା ନାହିଁ କି ନିଜେ ଯେଉଁ ପଦପଦବୀରେ ଅଧିକାରୀ ତା’ର ଗରିମାକୁ ବଳବତ୍ତର ରଖିବାର ମାନସିକତା ନାହିଁ। କେବଳ ବୃଥା ଅହଂକାର, ସାମାନ୍ୟ ସ୍ବାର୍ଥ ସାଧନର ଅହେତୁକ ବ୍ୟାକୁଳ ଓ ନିଜ ରାଜକାର୍ଯ୍ୟରେ ଅବହେଳା କରି ଅନୈତିକ ଅର୍ଥ ରୋଜଗାରର ଅହେତୁକ ଲାଳସା। ତା’ ନ ହୋଇ ଥିଲେ ସରକାରୀ ବାବୁମାନଙ୍କ ଘରୁ କୁବେରଙ୍କଠାରୁ ଅଧିକ ଧନ ସମ୍ପତ୍ତି ଜବତ ହେଉଛି କେମିତି? ଏମାନେ ଗୋଟିଏ ଗୋଟିଏ ନରପଶୁ ବା ଅର୍ଥଲୋଭି ଦୁଇସ୍ପଦ ଜନ୍ତୁ। ଆଜି ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଭଦ୍ର ମୁଖା ତଳେ ଲମ୍ବା ଚଉଡ଼ା ଭାଷଣ ଦେଇ ସମାଜରେ ନିଜକୁ ବଡ଼ ପଦାଧିକାରୀ କହି ଏକପ୍ରକାର ସମ୍ଭ୍ରାନ୍ତ ଭାବନ୍ତି ଏମାନେ। ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ଏମାନେ ଗୋଟିଏ ଗୋଟିଏ ସାମନ୍ତ, ଯେଉଁମାନଙ୍କ ସାମନ୍ତବାଦୀ ଚିନ୍ତାଧାରା ପାଇଁ ଆଜି ଦେଶ, ସମାଜ ଓ ସାଧାରଣ ଜନତା ପରାଭବ ଭୋଗ କରୁଛନ୍ତି। ଏମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦରକାର।
ଆଜି ମଣିଷସଂଖ୍ୟା କମିବାର ଅନ୍ୟ ଏକ କାରଣ ଜଗତୀକରଣ ହୋଇପାରେ। ସାମନ୍ତବାଦକୁ କବର ଦେଇ ଯେଉଁ ଜଗତୀକରଣ ରୂପକ ଚାରାଟି ପୋତା ହୋଇଥିଲା ତାହା ଧୀରେ ଧୀରେ ବିସ୍ତାରି ବ୍ୟାପକ ରୂପ ଧାରଣ କଲାଣି, ଯାହା ପ୍ରଭାବରେ ବିଶ୍ବ ଗୋଟିଏ ଲାଭକରୀ ବଜାରରେ ପରିଣତ ହେଲାଣି। ବଡ଼ ମାଛକୁ ସାନ ମାଛ ଗିଳି ଦେଲା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକ ନିଜର ଆର୍ଥିକ ଅଭିବୃଦ୍ଧିକୁ ଆହୁରି ଗତିଶୀଳ କରିବା ପାଇଁ ସାନ ସାନ ଦେଶଗୁଡ଼ିକୁ ବିଭିନ୍ନ ଉପାୟରେ ଗିଳିବାରେ ଲାଗିଛନ୍ତି। ଆଜି ସାରା ବିଶ୍ବରେ ଦେଶ ଦେଶ ମଧ୍ୟରେ ଯେଉଁ ଯୁଦ୍ଧର ତାଣ୍ଡବଲୀଳା ଆମେ ଦେଖୁଛେ ତାହା କେବଳ ଦୁଇ ଦେଶର ଅନ୍ତରୀଣ ଶତ୍ରୁତା ନୁହେଁ ବଡ଼ ବଡ଼ ପ୍ରଭାବଶାଳୀ ଦେଶଗୁଡ଼ିକର ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରୋତ୍ସାହନର ଫଳ। ନିଜକୁ ସମୃଦ୍ଧ କରିବା ନିଶାରେ ଆଜିର ଭୌତ୍ତିକ ସୁଖୀ ମଣିଷ ସାଧାରଣ ଲୋକ ସମୂହକୁ ପୋକ ମାଛି ଭଳି ହତ୍ୟା କରିବାକୁ ପଛାଉ ନାହିଁ। ତେବେ କୁହନ୍ତୁ ମଣିଷସଂଖ୍ୟା ବଢ଼ିଛି ନା କମିଛି?
ଡିଗ୍ରୀଧାରୀ ସାକ୍ଷର ବଢ଼ିଛି କିନ୍ତୁ ମୂଲ୍ୟବୋଧ ଯୁକ୍ତ ଶିକ୍ଷିତମାନଙ୍କ ସଂଖ୍ୟା କମ୍‌। ସେଥିପାଇଁ ଘରୋଇ ହିଂସା, ଛାଡ଼ପତ୍ର, ଜମିଜମା ବିବାଦ ବଢ଼ିଛି। ରକ୍ତ ସମ୍ପର୍କ ହୋଇ ଶତ୍ରୁତା କରୁଛି। କେତେବେଳେ ସମ୍ପତ୍ତି ପାଇଁ ପୁଅ ବାପାକୁ ତ ଆଉ କେତେବେଳେ ଜନ୍ମଦାତ୍ରୀ ମାଆ, ଲାଳନପାଳନ କରିଥିବା ଆଈ, ଜେଜେମାଆ ପ୍ରମୁଖଙ୍କୁ ହତ୍ୟା କରୁଛି। ସହନଶୀଳତା ଓ ଉଦାରତା ଆଜି ଏକ ପ୍ରକାର ବିଲୁପ୍ତ ହେଲାଣି। ଯୌଥ ପରିବାର ଭାଙ୍ଗି ଛୋଟ ପରିବାର ସୁଖୀ ପରିବାର ନାମକ ମରୀଚିକା ପଛରେ ସମସ୍ତେ ଧାବମାନ। ସାମାନ୍ୟ ସୁଖ ପାଇଁ ଜନ୍ମଦାତା ମାଆବାପା ମଧ୍ୟ ସନ୍ତାନ ସନ୍ତତିର ନୁହନ୍ତି। ଶିକ୍ଷା ବ୍ୟବସ୍ଥାରୁ ଜୀବନ ମୂଲ୍ୟ ହଜିଗଲାଣି। ପରିବାରରେ କେବଳ ପରୀକ୍ଷାରେ ନମ୍ବର ପାଇଁ ପ୍ରତିଯୋଗିତା ଓ ପରାମର୍ଶ। ଏଭଳି ପରିସ୍ଥିତିରେ ସମାଜର ପ୍ରାଜ୍ଞ ବ୍ୟକ୍ତିମାନେ ଯଦି ମଣିଷ ଗଢ଼ିବାରେ ଶପଥ ନ ନିଅନ୍ତି ସମାଜରୁ ମଣିଷ ଓ ମଣିଷପଣିଆ ହଜିଯିବ। ତେଣୁ ପ୍ରତିକାର ହିଁ ପ୍ରତିଷେଧ। ମଣିଷ ସଂଖ୍ୟା ବୃଦ୍ଧି ହିଁ ଏକମାତ୍ର ସମାଧାନ।

ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ:୯୪୩୭୯୧୪୮୧୮

 


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri