କେମ୍ୱ୍ରିଜ ଡିକ୍ସନାରିର ୨୦୨୬ର ଶ୍ରେଷ୍ଠ ଶବ୍ଦ ‘ହୁମାନ୍‌’

ଲଣ୍ଡନ, ୧୯ା୧୧ (ପି.ଟି.): କୃତି୍ରିମ ବୃଦ୍ଧିମତ୍ତା (ଏଆଇ)ର ଅଗ୍ରଗତି ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟ ମଧ୍ୟରେ କେମ୍ୱ୍ରିଜ ଡିକ୍ସନାରି ୨୦୨୬ ପାଇଁ ‘ହୁମାନ୍‌’ ଶବ୍ଦକୁ ବର୍ଷର ଶ୍ରେଷ୍ଠ ଶବ୍ଦ ଭାବେ ଚୟନ କରିଛି। ମେଶିନ ଏବଂ ମନୁଷ୍ୟ ମଧ୍ୟରେ ଥିବା ସୀମାରେଖାକୁ ଏଆଇ କିପରି ଅସ୍ପଷ୍ଟ କରିଦେଉଛି, ତାହାକୁ ନେଇ ଚାଲିଥିବା ଚର୍ଚ୍ଚା ଏବଂ ଏହାର ପ୍ରତିକ୍ରିୟା ସ୍ୱରୂପ ଏହି ଶବ୍ଦକୁ ବଛାଯାଇଛି। କେମ୍ୱ୍ରିଜ ଡିକ୍ସନାରିର ଶାବ୍ଦିକ ବିଶେଷଜ୍ଞ କଲିନ ମ୍ୟାକିଣ୍ଟୋଶ କହିଛନ୍ତି, ‘ଆମେ ଯେତେବେଳେ ଆମର ଚିନ୍ତା କରିବାର କ୍ଷମତାକୁ ଏଆଇ ହାତରେ ଟେକିଦେଉଛୁ, ସେତେବେଳେ ଆମେ ମାନବୀୟ ସତ୍ତ୍ୱେ କ’ଣ ହରାଇପାରୁ ତାହାକୁ ନେଇ ଭୟ ସୃଷ୍ଟି ହୋଇଛି।’ ଗଣିତବିତ୍‌ଙ୍କଠାରୁ ଆରମ୍ଭ କରି କୋମଳମତି ଶିଶୁଙ୍କ ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ଏହାକୁ ନେଇ ପୁନର୍ୱିଚାର କରୁଛନ୍ତି। ସୂଚନାଥାଉ କି ଲାଟିନ୍‌ ଶବ୍ଦ ହୁମାନସ୍‌ରୁ ଆସିଛି ‘ହୁମାନ୍‌’।
୨୦୨୬ ବର୍ଷ ପାଇଁ ଅନ୍ୟାନ୍ୟ ପ୍ରମୁଖ ଶବ୍ଦଗୁଡ଼ିକ ମଧ୍ୟରେ ମାନବୀୟ ନିୟନ୍ତ୍ରଣ ବିନା ନିଷ୍ପତ୍ତି ନେଇପାରୁଥିବା ଏଆଇ ପ୍ରଣାଳୀ ପାଇଁ ‘ଏଜେଣ୍ଟ’ ଏବଂ ଇଣ୍ଟରନେଟ୍‌ ବା ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସହ ଜଡ଼ିତ ନ ଥିବା ଅଭିଜ୍ଞତା ପାଇଁ ‘ଆନାଲଗ୍‌’ ଶବ୍ଦ ମଧ୍ୟ ଚର୍ଚ୍ଚାରେ ଥିଲା। ବିଭିନ୍ନ ଡିକ୍ସନାରି ପୂର୍ୱରୁ ମଧ୍ୟ ଏଆଇ ସମ୍ପର୍କିତ ଶବ୍ଦଗୁଡ଼ିକୁ ବର୍ଷର ଶ୍ରେଷ୍ଠ ଶବ୍ଦ ଭାବେ ଘୋଷଣା କରିଆସିଛନ୍ତି। ଯେପରି କି ୨୦୨୩ରେ କଲିନ୍ସ ଡିକ୍ସନାରି ପକ୍ଷରୁ ଏଆଇ ଏବଂ କେମ୍ୱ୍ରିଜ ପକ୍ଷରୁ ଏଆଇ ଦ୍ୱାରା ଭୁଲ ତଥ୍ୟ ସୃଷ୍ଟି ପ୍ରବୃତିକୁ ବୁଝାଇବା ପାଇଁ ‘ହ୍ୟାଲୁସିନେଟ୍‌’ ଶବ୍ଦ ବଛାଯାଇଥିଲା। ଗତବର୍ଷ ମେରିୟମ-ୱେବ୍‌ଷ୍ଟର୍‌ ପକ୍ଷରୁ ଏଆଇ ଦ୍ୱାରା ପ୍ରସ୍ତୁତ ନିମ୍ନମାନର ବିଷୟବସ୍ତୁ ପାଇଁ ‘ସ୍ଲପ୍‌’ ଏବଂ କଲିନ୍ସ ପକ୍ଷରୁ ଏଆଇ ସହାୟତାରେ ସଫ୍ଟୱେର୍‌ ବିକାଶ ପାଇଁ ‘ଭାଇବ୍‌ କୋଡିଂ’ ଶବ୍ଦ ଚୟନ କରାଯାଇଥିଲା। ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଏହି ଚୟନ ସମ୍ପର୍କରେ ମତ ଦେଇ କହିଛନ୍ତି, ‘ଏଆଇ ଆମକୁ ମନୁଷ୍ୟ ହେବାର ଅର୍ଥ କ’ଣ ତାହା ଗଭୀର ଭାବେ ଚିନ୍ତା କରିବାକୁ ବାଧ୍ୟ କରୁଛି। ଏଆଇ ସଫଳତାର ମାପକାଠି ଏହା ହେବା ଉଚିତ ଯେ ଏହା ମାନବ ଜୀବନକୁ କେତେ ପରିମାଣରେ ଉନ୍ନତ କରୁଛି।’

Share