ମାନବୀୟ ତ୍ରୁଟି ଥିଲା, ରୋକାଯାଇ ପାରିଥାନ୍ତା

ଭୁବନେଶ୍ୱର,୪।୭(ଅଭିଜିତ ଦାସ): ଗତ ଜୁନ୍‌ ୨ ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ରେଲଓ୍ବେର ମୁଖ୍ୟ ସେଫ୍ଟି କମିଶନର (ସିସିଆର୍‌ଏସ୍‌) ଓ ସିବିଆଇ ଟିମ୍‌ ତଦନ୍ତ କରୁଛନ୍ତି। ଗତ କିଛିଦିନ ତଳେ ସିସିଆର୍‌ଏସ୍‌ ପକ୍ଷରୁ ରେଲ୍‌ୱେ ବୋର୍ଡ ନିକଟରେ ସ୍ବତନ୍ତ୍ର ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। ଉକ୍ତ ରିପୋର୍ଟରେ ସିଗ୍‌ନାଲ ଓ ଟେଲିଂ କମ୍ୟୁନିକେଶନରେ ଏକାଧିକ ତ୍ରୁଟିରୁ ଏଭଳି ଦୁର୍ଘଟଣା ଘଟଥିବା ଉଲ୍ଲେଖ କରାଯାଇଛି। ସିଗ୍‌ନାଲ ସିଷ୍ଟମର ଅଧିକାରୀଙ୍କ ଅପାରଗତାରୁ କରମଣ୍ଡଳ ଏକ୍ସପ୍ରେସ୍‌ଟି ଅପ୍‌ ଲାଇନ୍‌ ବଦଳରେ ଲୁପ୍‌ ଲାଇନକୁ ମାଡିଯାଇଥିଲା। ଯଦିଓ ସିଗନାଲରେ ତ୍ରୁଟି ଥିଲା, ତେବେ ନାଲି ପତାକା ମାଧ୍ୟମରେ ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାକୁ ରୋକା ଯାଇପାରିଥାନ୍ତା। ମାତ୍ର ତାହା କରାଯାଇ ନ ଥିଲା। ଅନ୍ୟପକ୍ଷରେ ଅପ୍‌ ଲାଇନ୍‌ରେ ସିଗ୍‌ନାଲ ତ୍ରୁଟି ଦେଖାଯିବାର ବହୁ ପୂର୍ବରୁ ୨ଟି ମୁଖ୍ୟ ଟ୍ରାକ୍‌କୁ ସଂଯୋଗ କରୁଥିବା ସୁଇଚର୍‌ରେ ତ୍ରୁଟି ଦେଖାଯାଇଥିଲା। ଷ୍ଟେଶନ ମ୍ୟାନେଜର ଓ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ଏହା ଉପରେ ପଦକ୍ଷେପ ନିଆଯାଇ ନ ଥିଲା, ଯାହା ଦୁର୍ଘଟଣାର ଅନ୍ୟତମ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତଦନ୍ତକରୀ ଟିମ୍‌ ଦୁର୍ଘଟଣାର ତଦନ୍ତ ସମୟରେ ସିଗ୍‌ନାଲ ସିଷ୍ଟମ୍‌ ଓ ସୁଇଚର୍‌କୁ ନେଇ ଏକ ପରୀକ୍ଷଣ କରିଥିଲେ। ଏହି ସମୟରେ ଉଭୟ ବିଭାଗରେ ତ୍ରୁଟି ଦେଖାଯାଇଥିଲା। ଏପରିକି ଷ୍ଟେଶନ ପୂର୍ବରୁ ଉତ୍ତର କ୍ୟାବିନ, କ୍ୟାବିନ୍‌ ସହ ଜଡିତ ରିଲେ ରୁମ୍‌ ଏବଂ ଷ୍ଟେଶନ ନିକଟ କ୍ରସିଂ ପଏଣ୍ଟ (ଗେଟ୍‌ ନମ୍ବର ୯୪)ରେ ସିଗ୍‌ନାଲ କମ୍ୟୁନିକେଶନରେ ଅଦଳ ବଦଳ ରିଅର ମଧ୍ୟରେ ଧକ୍କା ହୋଇଥିଲା, ଫଳରେ କ୍ରସିଂ ପଏଣ୍ଟରେ ଇଲେକ୍ଟ୍ରିକ୍‌ ଲିଫ୍ଟ ବ୍ୟାରେଜର ସିଗ୍‌ନାଲରେ ବାରମ୍ବାର ପରିବର୍ତ୍ତନ ଆସୁଥିଲା। ବାହାନଗା ତଦନ୍ତ ରିପୋର୍ଟ ଦାଖଲ ପରେ ସମ୍ପୂର୍ଣ୍ଣ ସିଗ୍‌ନାଲ ସିଷ୍ଟମ ଓ ସୁଇଚ୍‌ର ଯାଞ୍ଚ ସହ ଏକ ସ୍ବତନ୍ତ୍ର ଟିମ୍‌ ମାଧ୍ୟମରେ ଉଚ୍ଚ ପରୀକ୍ଷଣ କରାଯିବା ଆବଶ୍ୟକ ବୋଲି ସିସିଆର୍‌ଏସ୍‌ ବୋର୍ଡକୁ ଜଣାଇଛନ୍ତି। ୨୦୨୨ରେ ଖଡଗପୁର ଡିଭିଜନରେ ମଧ୍ୟ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା। ତେଣୁ ଏହାକୁ ତ୍ରୁଟିମୁକ୍ତ କରିବା ଲାଗି ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରାଯିବା ସହ ଏଭଳି ବିପର୍ଯ୍ୟୟର ମୁକାବିଲା ଲାଗି ଜୋନାଲ ଅଧିକାରୀମାନେ ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ଙ୍କ ମଧ୍ୟରେ ସମନ୍ବୟ ରଖିବା ଆବଶ୍ୟକ ବୋଲି ସିସିଆର୍‌ଏସ୍‌ ପରାମର୍ଶ ଦେଇଛି।