ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ ବିକଶିତ ହୋଇଥାଇପାରେ। ଆମେରିକାର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି, ଯାହା ପୁରୁଣା ମସ୍ତିଷ୍କ ବିକାଶ ଧାରଣାକୁ ବଦଳାଇ ଦେଇଛି। ‘ନେଚର ନ୍ୟୁରୋସାଇନ୍ସ’ ପତ୍ରିକାରେ ପ୍ରକାଶିତ ଏହି ତଥ୍ୟ ଅନୁସାରେ, ମସ୍ତିଷ୍କର ଦୁଇଟି ଭିନ୍ନ ଅଂଶ ଦୁଇଟି ସମ୍ପୂର୍ଣ୍ଣ ଅଲଗା ପ୍ରାରମ୍ଭିକ କୋଷ (ପ୍ରୋଜେନିଟର ସେଲ୍‌)ରୁ ସୃଷ୍ଟି ହୋଇଥାନ୍ତି। ମୂଷା ଭ୍ରୂଣ ଉପରେ କରାଯାଇଥିବା ଏହି ଗବେଷଣା ଦର୍ଶାଉଛି ଯେ, ମନୁଷ୍ୟ ମସ୍ତିଷ୍କରେ ଦୁଇଟି ପ୍ରାଚୀନ ସ୍ନାୟୁ ପ୍ରଣାଳୀ ଏକାଠି ରହିଛି। ଗୋଟିଏ ପ୍ରାଥମିକ ଅଂଶ (ହାଇଣ୍ଡବ୍ରେନ୍‌ ବା ପଶ୍ଚାତ୍‌ ମସ୍ତିଷ୍କ) ଯାହା ହୃଦ୍‌ସ୍ପନ୍ଦନ ଓ ଶ୍ୱାସକ୍ରିୟା ପରି ଜୀବନ ରକ୍ଷାକାରୀ ପ୍ରକ୍ରିୟାକୁ ନିୟନ୍ତ୍ରଣକରେ। ଅନ୍ୟଟି (ଫୋର୍‌ବ୍ରେନ୍‌ ବା ଅଗ୍ର ମସ୍ତିଷ୍କ) ମଣିଷକୁ ଚିନ୍ତାଶକ୍ତି ତଥା ଉଚ୍ଚ ମାନସିକ ଦକ୍ଷତା ପ୍ରଦାନ କରେ। ଭ୍ରୂଣର ବିକାଶ ସମୟରେ ଏହି ଦୁଇଟି ପ୍ରଣାଳୀ ସମାନ୍ତରାଳ ଭାବେ ବଢ଼ିଥାନ୍ତି ଏବଂ ଏମାନଙ୍କ କୋଷ କେବେ ବି ପରସ୍ପର ସହ ମିଶନ୍ତି ନାହିଁ। ଷ୍ଟାନ୍‌ଫୋର୍ଡର ଆସୋସିଏଟ ପ୍ରଫେସର କାଇଲ ଲୋହଙ୍କ କହିବା ଅନୁସାରେ, ଏହି ଆବିଷ୍କାର ପରେ ଏବେ ଲାବରେଟୋରିରେ ପଶ୍ଚାତ୍‌ ମସ୍ତିଷ୍କର ନ୍ୟୁରୋନ୍‌ଗୁଡ଼ିକୁ ସହଜରେ ପ୍ରସ୍ତୁତ କରାଯାଇପାରିବ। ପୂର୍ବରୁ ବୈଜ୍ଞାନିକମାନେ ଏହା କରିବାରେ ବିଫଳ ହେଉଥିଲେ। ଏହି ସଫଳତା ଦ୍ୱାରା ମସ୍ତିଷ୍କ ସ୍ତମ୍ଭକୁ ପ୍ରଭାବିତ କରୁଥିବା ମାରାତ୍ମକ ରୋଗ, ଯେପରିକି ସ୍ପାଇନାଲ ମସ୍କୁଲାର ଆଟ୍ରୋଫି (ଏସ୍‌ଏମ୍‌ଏ) ଏବଂ ଆମିଓଟ୍ରୋଫିକ୍‌ ଲାଟେରାଲ ସ୍କ୍ଲେରୋସିସ୍‌ (ଏଏଲ୍‌ସି)ର ଅଧିକ ଗବେଷଣା ଓ ଚିକିତ୍ସା ପାଇଁ ଏକ ନୂଆ ବାଟ ଫିଟିଛି।

 

Dharitri – Odisha’s No.1 Odia Daily

Share
Tags: human brain