ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ): ହୁମ୍ମା ନୂଆସାହିର ଗଣେଶ ପରିଡ଼ା(୨୫) ନାମକ ଯୁବକ କର୍କଟ ରୋଗରେ ଆକ୍ରାନ୍ତ। ସେ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଡାକ୍ତର କହୁଛନ୍ତି, ୪୦ ଲକ୍ଷରୁ ଉଦ୍ଧର୍ବ ଟଙ୍କା ଖର୍ଚ୍ଚ ହେବ। ଏଭଳି ପରିସ୍ଥିତିରେ ହୁମ୍ମା ପଂଚାୟତର ସମିତିସଭ୍ୟ ଧ୍ରୁବ ଚରଣ ପଲେଇ ଖବର ପାଇ ଆଜି ୧୦ ହଜାର ଟଙ୍କା ଆର୍ଥିକ ସହାୟତା କରିଛନ୍ତି। ହୁମ୍ମା ସମିତିସଭ୍ୟ ଶ୍ରୀ ପଲେଇଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକମାନେ ଅର୍ଥ ସଂଗ୍ରହ କରି ଗଣେଶଙ୍କ ପରିବାରଙ୍କୁ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଛନ୍ତି । ତାଙ୍କର ଏଭଳି ମହାନତା କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ହୁମ୍ମା ଗ୍ରାମର କିଶୋର ପରିଡାଙ୍କ ପୁଅ ଗଣେଶ ପରିଡ଼ା ।କିଶୋରଙ୍କ ସେ ରୋଜଗାରିଆ ପୁଅ । ତାଙ୍କର ୩ ବର୍ଷ ଶିଶୁ ରହିଛି । ଦାଦନ ଶ୍ରମିକ ଭାବରେ କାମ କରି ଯାହା ଆଣେ ପରିବାର ଚଳାଏ । କିନ୍ତୁ ଗଣେଶ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଆତ୍ମୀୟବର୍ଗ ଲୋକେ ଭାଙ୍ଗି ପଡିଛନ୍ତି । ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି ।


