Categories: ଖେଳ

ହୁଗୋଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ

ପ୍ୟାରିସ, ୧୧ା୧(ଏପି): ଫ୍ରାନ୍ସ ଫୁଟ୍‌ବଲ ଦଳର ଅଧିନାୟକ ହୁଗୋ ଲୋରିସ୍‌ଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି। ୩୬ବର୍ଷୀୟ ଗୋଲ୍‌କିପର ନିଜ ଦେଶ ତରଫରୁ ରେକର୍ଡ ୧୪୫ ମ୍ୟାଚ ଖେଳିଛନ୍ତି। ଲୋରିସ ୨୦୧୮ରେ ବିଶ୍ୱକପ୍‌ ଜିତିଥିଲେ। ତାଙ୍କ ଅଧିନାୟକତ୍ୱରେ ଫ୍ରାନ୍ସ ଗତ ମାସରେ କାତାର ବିଶ୍ୱକପ୍‌ ଫାଇନାଲରେ ଆର୍ଜେଣ୍ଟିନାଠାରୁ ପରାଜିତ ହୋଇଥିଲା। ହୁଗୋ ତାଙ୍କର ଏକ ସାକ୍ଷାତ୍‌କାରରେ କହିଛନ୍ତି, ଏଣିକି ସେ ଇଂଲିଶ ପ୍ରିମିୟର ଲିଗ୍‌ରେ ତାଙ୍କ ଟୋଟେନହାମ୍‌ କ୍ୟାରିୟର ଉପରେ ମନୋନିବେଶ କରିବେ। ହୁଗୋ କହିଛନ୍ତି, ସେ ତାଙ୍କ ଖେଳ ଜାରି ରଖିବାକୁ ଚାହାନ୍ତି। କ୍ଲବ ସହିତ ରହିବା ଦ୍ୱାରା ତାଙ୍କ ଶାରୀରିକ ସତେଜତା ଅଧିକ ରହିବ। ସେ ଟୋଟେନହାମ୍‌ କ୍ଲବକୁ ପ୍ରିମିୟର ଲିଗ୍‌ରେ ଶ୍ରେଷ୍ଠ ୪ ମଧ୍ୟରେ ରଖିବାକୁ ଚେଷ୍ଟା କରିବେ। ଚାମ୍ପିୟନ୍ସ ଲିଗ୍‌ ଓ ଏଫ୍‌ଏ କପ୍‌ରେ ମଧ୍ୟ ତାଙ୍କ ଦଳ ଯେପରି ଭଲ ପ୍ରଦର୍ଶନ କରିବ ସେ ଦିଗରେ ଧ୍ୟାନ ଦେବେ। ହୁଗୋ ୨୦୦୮ରେ ଉରୁଗୁଏ ବିପକ୍ଷ ମ୍ୟାଚରେ ତାଙ୍କ ଜାତୀୟ ପଦାର୍ପଣ କରିଥିଲେ।

Share