ବିପୁଳ ପରିମାଣର ମଦ, ଗୁଟ୍‌ଖା ଜବତ: ୪ ଗିରଫ

ପାରଳାଖେମୁଣ୍ଡି,୩୧।୧୦: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଶନିବାର ଆନ୍ଧ୍ର-ଓଡ଼ିଶା ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ରାଣିପେଣ୍ଠା ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ସହ ଗୁଟ୍‌ଖା ଜବତ ହୋଇଥିଲା। ବେଆଇନ ଭାବେ ଚାଲାଣ ହେଉଥିବା ଗାଡ଼ିରୁ ୮୦ ପେଟି ମଦ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ କହିବାନୁସାରେ ପୋଲିସ ରବିବାର ଏମ୍‌ଆର୍‌ଏଫ୍‌ ଶୋରୁମ ପଛପଟେ ଥିବା ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲେ। ଏଥିରେ ନକଲି ବିଦେଶୀ ମଦ, ଗୁଟ୍‌ଖା ଏବଂ ହୋମିଓ ସ୍ପିରିଟ ରହିଥିବା ସୂଚନା ପାଇ ଆନ୍ଧ୍ର ପୋଲିସ, ଅବକାରୀ ବିଭାଗ ଏବଂ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଘର ଭିତରେ ପଶିଥିଲେ। ସେଠାରୁ ୫୪ ପେଟି ବିଦେଶୀ ମଦ, ୪ ପେଟି ହୋମିଓ ସ୍ପିରିଟ, ୩୦ ବସ୍ତା ଗୁଟ୍‌ଖା ଜବତ କରାଯାଇଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି।