୧୭ ଜାନୁୟାରୀରେ ବିଶାଳ ଗଣ ବିକ୍ଷୋଭ

ଅନୁଗୋଳ ଅଫିସ, ୨୭ା୧୨: ଅନୁଗୋଳ ଜିଲାର ୯୨ଟି ରାଜସ୍ବ ଗ୍ରାମକୁ ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ ସୁରକ୍ଷା କମିଟି ଆହ୍ବାନରେ ସହର ଉପକଣ୍ଠ କୁରୁଡ଼ୋଲ ଈଶାନେଶ୍ୱର ମନ୍ଦିର ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। କମିଟି ସଭ୍ୟ ପ୍ରଦୀପ ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ। ଆସନ୍ତା ୧୭ ତାରିଖରେ ଅନୁଗୋଳ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିଶାଳ ଚାଷୀ ବିକ୍ଷୋଭ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ କୁହାଯାଇଥିଲା ଯେ, ଅନୁଗୋଳ ଜିଲାର ୯୨ଖଣ୍ଡ ଗ୍ରାମ ଚକ ଅନୁଯାୟୀ ଚିହ୍ନଟ ନ ହେବା ଫଳରେ ଲୋକେ ଜମିର ସ୍ବତ୍ୱାଧିକାର ହରାଇ ବସିଛନ୍ତି। ଯେଉଁ ଜମି ୧୯୬୦-୬୨ ମସିହା ପୂର୍ବରୁ ପୁରୁଷାନୁକ୍ରମେ ଦଖଲ କରି ଆସୁଥିଲେ ୧୯୭୧-୭୨ ମସିହାରେ ଚକବନ୍ଦୀ ଆଇନ ଯୋଗୁ ତାହା ଅନ୍ୟ ଚାଷୀ ନାମରେ ଚକ ରେକର୍ଡ ହୋଇଛି। ୪୦ବର୍ଷ ହେଲା କୌଣସି ପ୍ରଜାକୁ ଚକ ଚିହ୍ନଟ ନ ଦେବା ଫଳରେ ସରକାରଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ସମୟରେ କ୍ଷତିପୂରଣ ରାଶି ପୁରୁଷାନୁକ୍ରମେ ଦଖଲ କରୁଥିବା ପ୍ରକୃତ ଚାଷୀ ନ ପାଇ ଚକ ପଟ୍ଟାଧାରୀ ପାଖକୁ ଚାଲିଯାଉଛି। ଏହାର ସମାଧାନ ପାଇଁ ବହୁବାର ଦାବି କଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି। ତେଣୁ ଜିଲା ଚାଷୀ ସୁରକ୍ଷା କମିଟି ଆସନ୍ତା ୧୭ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ଏହି ସଭାରେ କମିଟି ସଭାପତି ଭାସ୍କର ଦେହୁରୀ, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ପ୍ରଧାନ, ବ୍ରଜବନ୍ଧୁ ସାହୁ, ସମ୍ପାଦକ କାଳୀଚରଣ ପ୍ରଧାନ, ଉପସଭାପତି ତ୍ରିନାଥ ସାହୁ, ଅନନ୍ତ ଚରଣ ସାହୁ, ସମ୍ପାଦକମଣ୍ଡଳୀ ସଭ୍ୟ ରବୀନ୍ଦ୍ର ସାହୁ, ବିଜୟ ମାଝି, ପଦ୍ମନାଭ ଦାସ, ହର୍ଷବର୍ଦ୍ଧନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।