ଏନ୍‌ଏଚ୍‌-୧୬ର ଆରଡ଼ିଛକ ଓଭରବ୍ରିଜରେ ବିରାଟ ଗର୍ତ୍ତ

ଭଦ୍ରକ, ୧୯।୭ (ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥର ଯାଜପୁର ଜିଲା ରସୁଲପୁରଠାରେ ମଙ୍ଗଳବାର ଓଭରବ୍ରିଜ୍‌ ଦବି ଯାଇଥିବା ବେଳେ ଭଦ୍ରକର ଆରଡ଼ିଛକ ଓଭରବ୍ରିଜ୍‌ରେ ଏକ ବିରାଟ ଗର୍ତ୍ତ ନଜରକୁ ଆସିଛି। ଖବର ପାଇବା ପରେ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ଏ. କେ. ବର୍ମା ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି। ଜେସିବି ଦ୍ୱାରା ଉକ୍ତ ଗର୍ତ୍ତକୁ ତାଡ଼ିବା ପରେ ପ୍ରାୟ ୩୦ଫୁଟ୍‌ ଲମ୍ବ ଏବଂ ୬ ଫୁଟ୍‌ ଓସାରର ରାସ୍ତା ୧୦ ଫୁଟ ତଳକୁ ଦବି ଯାଇଥିବା ଦେଖାଯାଇଥିଲା। ଏହି ଗର୍ତ୍ତ ଆହୁରି ଅଧିକ ଲମ୍ବା ଥିବା ଅନୁମାନ କରାଯାଉଛି। ଏକା ସମୟରେ ଗର୍ତ୍ତକୁ ଖୋଳିଲେ ସମ୍ପୂର୍ଣ୍ଣ ରାସ୍ତା ଧସିଯିବାର ଆଶଙ୍କା ରହିଛି। ଖୋଳାଯାଇଥିବା ଅଂଶକୁ କଂକ୍ରିଟ ଢଳେଇ ସରିବା ପରେ ବାକି ଅଂଶ ଖୋଳାଯିବ ବୋଲି ଜାତୀୟ ରାଜପଥ ମେଣ୍ଟେନାନ୍ସ ବିଭାଗର ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି।
ପ୍ରକାଶଥାଉ କି, ଏହି ଓଭରବ୍ରିଜ୍‌ ପ୍ରାୟ ୪ ମାସ ତଳେ ନିର୍ମାଣ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଓଭରବ୍ରିଜ୍‌ କାନ୍ଥରେ କଣା ଥିବା ଯୋଗୁ ସେହି କଣା ବାଟରେ ମ୍ୟାଟେରିଆଲ ବୋହି ଯାଇଥିବାରୁ ଗର୍ତ୍ତ ସୃଷ୍ଟି ହୋଇଥିବା ଜନୈକ ଅଧିକାରୀ କହିଛନ୍ତି।