ଜଙ୍ଗଲରୁ ମିଳିଲା ବିପୁଳ ବିସ୍ଫୋରକ ସାମଗ୍ରୀ: ଲୁଚାଇ ରଖିଥିଲେ ମାଓବାଦୀ

କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମାଛକୁଣ୍ଡ ଥାନା ଅଧୀନ ଗୁମୁଡାପୁଟ ଜଙ୍ଗଳରେ କୋମ୍ବିଂ ଅପରେଶନ ବେଳେ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଛି। ଜବତ ସାମାଗ୍ରୀ ମଧ୍ୟରେ ୧୫ ବନ୍ଧୁକ, ୧୭ ଟିଫିନ ବୋମା, ୨ ଡିଟୋନେଟର ସହ ବିଦ୍ୟୁତ୍‌ ତାର ସହ ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଥିବା କୋରାପୁଟ ଏସ୍‌ପି ଅଭିନବ ସୋନକାର ଗୁରବାର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗୋଇନ୍ଦା ସୂତ୍ରରୁ ଖବର ପାଇ ପୋଲିସ ଏବଂ ଏସ୍‌ଓଜି ଯବାନ ବୁଧବାର ମାଛକୁଣ୍ଡ ଥାନା ଅଧୀନ ଗୁମୁଡାପୁଟ, କୋଡାପୁଟ ଜଙ୍ଗଲ ଯାହାକି କୋରାପୁଟ ଓ ମାଲକାନଗିରି ଜିଲା ଏବଂ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ କୋମ୍ବିଂ ଅପରେଶନ କରୁଥିଲେ। ସେତିକିବେଳେ ଯବାନମାନେ ବିସ୍ଫୋରକ ସାମାଗ୍ରୀ ଜବତ କରିଥିଲେ। ଜବତ ବିସ୍ଫୋରକ ସାମଗ୍ରୀ ମାଓବାଦୀ ଏବଂ ବିଏସ୍‌ଜେଡସି ଗ୍ରୁଫ ପକ୍ଷରୁ ରଖାଯାଇଥିବା ପୋଲିସ ପକ୍ଷରୁ ଅନୁମାନ କରାଯାଉଛି।