ହ୍ରିଷିତା ଅମାୟରା ମିସ୍‌, ଶ୍ରୀୟା ମିସେସ୍‌ ଇଣ୍ଡିଆ

ପୁରୀ ଅଫିସ, ୮।୫: ଇଣ୍ଡିଆନ୍‌ ବିୟୁଟି କାଉନସିଲ୍‌ ପକ୍ଷରୁ ପୁରୀ ପାନ୍ଥନିବାସରେ ଅମାୟରା ମିସ୍‌ ଇଣ୍ଡିଆ ଏବଂ ଆମ୍ୟାରା ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ହ୍ରିଷିତା ସରକାର ପ୍ରଥମ ସ୍ଥାନ ଅଧିକାର କରି ଅମାୟରା ମିସ୍‌ ଇଣ୍ଡିଆ ଟାଇଟଲ ଜିତିଛନ୍ତି। ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୫ଟି ରାଜ୍ୟରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ହ୍ରିଷିତା ଅନ୍ୟମାନଙ୍କୁ ପଛରେ ପକାଇ ଟାଇଟଲ ଜିତିବା ସହ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ପୁରସ୍କାର ପାଇଛନ୍ତି। ସେହିପରି ଓଡ଼ିଶାର ଶ୍ରୀୟା କୁମୁଦ ଅମାୟରା ମିସେସ୍‌ ଇଣ୍ଡିଆ ବିଜେତା ହୋଇଛନ୍ତି। ଟାଇଟଲ ସହ ତାଙ୍କୁ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟ ବିଜେତାମାନଙ୍କ ମଧ୍ୟରେ ଆସାମର ଭାୟୋଲିନା ବୋରୋ ପ୍ରଥମ ରନର୍ସଅପ୍‌ ଏବଂ ଓଡ଼ିଶାର ଆକାଂକ୍ଷା ପଟେଲ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ସେହିପରି ମିସେସ୍‌ ଇଣ୍ଡିଆ ଭାବେ ଝାଡ଼ଖଣ୍ଡର ସ୍ବାତୀ ସିଂ ପ୍ରଥମ ଏବଂ ମହାରାଷ୍ଟ୍ରର ଅଞ୍ଜଳି ଶର୍ମା ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ସିମରନ୍‌ ଅଗ୍ରୱାଲ ସର୍ବୋତ୍ତମ ପ୍ରତିଭା, ବି. ଶ୍ରାବଣୀ ସର୍ବୋତ୍ତମ ହସ, ପିଙ୍କି ସେନଗୁପ୍ତା ସର୍ବୋତ୍ତମ ଆଖି, ରିଷିତା ସାର୍କ କ୍ୟାଟୱାଲ, ଟ୍ରୁପ୍ଟି ୱେଡ୍‌ ଉତ୍ତମ ବ୍ୟକ୍ତିତ୍ୱ, ମାହେଶ୍ୱରୀ ସାନିଆଲ୍‌ ଉତ୍ତମ ମନୋଭାବ, ୟାସୁ ସୋନି ଉତ୍ତମ ପୋଷାକ, ଅଙ୍କିତା ତ୍ରିଲାଥୀ ସର୍ବୋତ୍ତମ କେଶ, ମନୀଷା କିରଣ ଫଟୋଜେନିକ୍‌ ଭାବେ ଯୋଗ୍ୟ ବିବେଚିତ ହୋଇ ପୁରସ୍କାର ପାଇଛନ୍ତି। ଅତିଥି ଓ ବିଚାରକ ଭାବେ ଆମେରିକାର କ୍ରିଷ୍ଟି ଜୁଡ଼ି, ଇଂଲଣ୍ଡର ମଞ୍ଜୁ ୱରାଙ୍କ ସମେତ ଶିଲା ପଟ୍ଟନାୟକ, ସ୍ନେହା ଚଟୱନୀ, ସୌରଭ ତେଲୋରେ ଏବଂ ଏକତା ବାଘାରିଆ ଯୋଗଦେଇଥିଲେ। ପ୍ରତିଷ୍ଠାତା ନିର୍ଦ୍ଦେଶିକା ମିନତୀ ସାହୁ, ସ୍ନେହଲତା ତ୍ରିପାଠୀ ଏବଂ ସୁଚିସ୍ମିତା ଷଡ଼ଙ୍ଗୀ ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ମିଡିଆ ସଂଯୋଜକ ଥିଲେ।