IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା ହୋଇ ଟିକେଟ ବୁକ କରୁଥିଲେ, ହେଲେ ଏବେ ଅଧିକାଂଶ ଯାତ୍ରୀ ଘରେ ବସି IRCTC ୱେବସାଇଟ୍‌ କିମ୍ବା ଆପ୍‌ ମାଧ୍ୟମରେ ଅନଲାଇନ ଟିକେଟ ବୁକିଂ କରୁଛନ୍ତି। କିନ୍ତୁ ଅନେକ ସମୟରେ ଆକାଉଣ୍ଟର ଲଗ୍‌ଇନ୍‌ ଡିଟେଲ୍ସ ବା ପାସୱାର୍ଡ ଭୁଲିଯିବା ଯୋଗୁ ଯାତ୍ରୀମାନଙ୍କୁ ଅନେକ ହଇରାଣ ହେବାକୁ ପଡ଼ିଥାଏ। ଯଦି ଆପଣ ମଧ୍ୟ ଆପଣଙ୍କର IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କିମ୍ବା ଲଗ୍‌ଇନ୍‌ କରିବାରେ ସମସ୍ୟା ହେଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ନିଜର ପଞ୍ଜୀକୃତ (Registered) ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡି ସାହାଯ୍ୟରେ ଏହାକୁ ସହଜରେ ରିସେଟ କରିପାରିବେ।
IRCTC ପାସୱାର୍ଡ ରିସେଟ କରିବାର ସହଜ ପ୍ରକ୍ରିୟା:
୧.ଓପନ କରନ୍ତୁ:ୱେବସାଇଟ କିମ୍ବା ଆପ୍‌
ସବୁଠାରୁ ପ୍ରଥମେ IRCTC ର ଅଫିସିଆଲ ୱେବସାଇଟ (irctc.co.in) କିମ୍ବା ସେମାନଙ୍କର ଅଫିସିଆଲ ମୋବାଇଲ ଆପ ଓପନ କରନ୍ତୁ।
୨.ବିକଳ୍ପ ଚୟନ:Forgot Password
ଲଗଇନ ପେଜ୍‌କୁ ଯାଇ ସେଠାରେ ଥିବା “Forgot Password” ବିକଳ୍ପ ଉପରେ କ୍ଲିକ କରନ୍ତୁ।
୩.ଆଇଡି ଲେଖନ୍ତୁ :User ID Captcha
ବର୍ତ୍ତମାନ ଆପଣଙ୍କର IRCTC User ID ଲେଖନ୍ତୁ ଏବଂ ସ୍କ୍ରିନରେ ଦେଖାଯାଉଥିବା କ୍ୟାପ୍‌ଚା କୋଡ (Captcha Code)କୁ ସଠିକ ଭାବେ ଭରନ୍ତୁ।
୪.ଓଟିପି ଯାଞ୍ଚ:OTP Verification
ଏହାପରେ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡିକୁ ଏକ ଓଟିପି (OTP) ପଠାଯିବ। ସେହି ଓଟିପିକୁ ନିର୍ଦ୍ଧିଷ୍ଟ ବାକ୍ସରେ ଦର୍ଜ କରନ୍ତୁ।
୫.ନୂଆ ପାସୱାର୍ଡ ସେଟ: New Password
ଓଟିପି ଯାଞ୍ଚ ସଫଳ ହେବା ପରେ ଆପଣଙ୍କୁ ଏକ ନୂଆ ପାସୱାର୍ଡ ତିଆରି କରିବାର ବିକଳ୍ପ ମିଳିବ। ନୂଆ ପାସୱାର୍ଡ ଲେଖି ସେଭ୍‌ କରିଦିଅନ୍ତୁ ଏବଂ ପୁଣିଥରେ ଲଗ୍‌ଇନ୍‌ କରନ୍ତୁ।
ଯଦି User ID ଭୁଲି ଯାଇଛନ୍ତି, ତେବେ କ’ଣ କରିବେ?
ଯଦି ଆପଣଙ୍କର IRCTC User ID ମନେ ନାହିଁ, ତେବେ ଲଗ୍‌ଇନ୍‌ ପେଜ୍‌ରେ ଥିବା “Forgot User ID” ବିକଳ୍ପ ବ୍ୟବହାର କରିପାରିବେ। ଏଠାରେ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବର ଏବଂ ଇମେଲ୍‌ ଆଇଡି ଦେଇ ଆପଣ ନିଜର ୟୁଜର ଆଇଡି ଫେରିପାଇପାରିବେ।
ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡି ବଦଳି ଯାଇଥିଲେ କ’ଣ ହେବ?
ଯଦି ଆପଣଙ୍କ ଆକାଉଣ୍ଟ ସହ ଲିଙ୍କ ଥିବା ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡି ଏବେ ସକ୍ରିୟ ନାହିଁ ବା ବନ୍ଦ ହୋଇଯାଇଛି, ତେବେ ପାସୱାର୍ଡ ରିସେଟ କରିବାରେ ଅସୁବିଧା ହୋଇପାରେ। ଏଭଳି ସ୍ଥିତିରେ ଆପଣଙ୍କୁ IRCTC ର କଷ୍ଟମର କେୟାର୍‌ (Customer Care) ସହ ଯୋଗାଯୋଗ କରିବାକୁ ପଡ଼ିବ କିମ୍ବା ପ୍ରୋଫାଇଲ ଅପଡେଟ ପ୍ରକ୍ରିୟା ଶେଷ କରିବାକୁ ହେବ।
ଏଠାରେ ସୂଚନାଯୋଗ୍ୟ ଯେ, ଆପଣଙ୍କ IRCTC ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ଏକ ଶକ୍ତ ବା ମଜଭୁତ ପାସୱାର୍ଡ (Strong Password) ବ୍ୟବହାର କରନ୍ତୁ। ଏଥିପାଇଁ ପାସୱାର୍ଡରେ ଇଂରାଜୀ ବଡ଼ ଅକ୍ଷର (Capital Letters), ସାନ ଅକ୍ଷର (Small Letters), ନମ୍ବର ଏବଂ ସ୍ପେଶାଲ କ୍ୟାରେକ୍ଟର (ଯେପରିକି @, #, $) ର ସମିଶ୍ରଣ ରଖନ୍ତୁ। ନିଜର ପାସୱାର୍ଡ କାହା ସହିତ ଶେୟାର୍‌ କରନ୍ତୁ ନାହିଁ।
Dharitri – Odisha’s No.1 Odia Daily

Share