କିପରି ବଢିବ ଧନ

ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ। ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ, ନିଜର ମନିପର୍ସ ହେଉ ଅବା ଟଙ୍କା ସଞ୍ଚୟ କରାଯାଉଥିବା କୁମ୍ପି ଆଦିକୁ ବି ଘରର ଉତ୍ତର ଦିଗରେ ରଖିଲେ ଧନବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ମନିପର୍ସକୁ କେବେ ବି ଖାଲି ରଖିବା ଠିକ୍‌ ନୁହେଁ। ସେଥିରେ ଅଳ୍ପ ହେଉ ପଛେ କିଛି ଟଙ୍କା ରଖିବା ଉତ୍ତମ ହୋଇଥାଏ। ଏହାଛଡ଼ା ଉତ୍ତର ଦିଗରେ କାଚ ବାଉଲ୍‌ରେ କିଛି ରୁପା କଏନ୍‌ ଭର୍ତ୍ତି କରି ରଖିଲେ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ସେହିପରି ଘରର ଉତ୍ତର-ପୂର୍ବ ଦିଗରେ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ସେଠାରେ ଦୀପ ଜଳାଇ ପୂଜାର୍ଚ୍ଚନା କଲେ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ, ଘରର ପୂଜାସ୍ଥଳୀକୁ ସର୍ବଦା ସଫାସୁତୁରା ରଖିଲେ ବି ଘରେ କେବେ ଟଙ୍କା ପଇସାର ଅଭାବ ଦେଖାଯାଇ ନ ଥାଏ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷେ ଘରର ଉତ୍ତର ଦିଗରେ ଅଁଳା କିମ୍ବା ତୁଳସୀ ଗଛ ଲଗାଇବା ଦ୍ୱାରା ବି ପରିବାରର ମଙ୍ଗଳ ହେବା ସହ ଘରେ ଧନ ବୃଦ୍ଧି ହୋଇଥାଏ।