ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନକଲେ ଏଲପିଜି (LPG) ସିଲିଣ୍ଡର ବୁକିଂ ଏବଂ ସବସିଡି ଉଭୟ ପ୍ରଭାବିତ ହୋଇପାରେ। ଏପରି ସ୍ଥିତିରେ ଯଦି ଆପଣଙ୍କ ଘରେ ମଧ୍ୟ ଏଲ୍ପିଜି ଗ୍ୟାସ ସଂଯୋଗ ରହିଛି ଏବଂ ଆପଣ ଏପର୍ଯ୍ୟନ୍ତ ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ତେବେ ସତର୍କ ହୋଇଯାଆନ୍ତୁ। ସରକାର ଏବଂ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନୂଆ ସମୟସୀମା ଶେଷ ହେବାକୁ ଯାଉଛି।
ଘରୋଇ ରନ୍ଧନ ଗ୍ୟାସ ଉପଭୋକ୍ତାମାନଙ୍କୁ ଯେକୌଣସି ପରିସ୍ଥିତିରେ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ନିଜର ଇ-କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ନକଲେ ଆପଣଙ୍କ ଗ୍ୟାସ ସଂଯୋଗ ବନ୍ଦ ହୋଇପାରେ, କିମ୍ୱା ଭବିଷ୍ୟତରେ ରିଫିଲ ସିଲିଣ୍ଡର ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ସରକାର ଏବଂ ତୈଳ ତଥା ଗ୍ୟାସ କମ୍ପାନୀଗୁଡ଼ିକ ପକ୍ଷରୁ ପ୍ରଥମେ ଇ-କେୱାଇସିର ଅନ୍ତିମ ତାରିଖ ୧୬ ଅଗଷ୍ଟ ସ୍ଥିର କରାଯାଇଥିଲା, କିନ୍ତୁ ଅଧିକାଂଶ ଲୋକ କେୱାଇସି କରିନପାରିବାରୁ ଏହାକୁ ବୃଦ୍ଧି କରି ପ୍ରଥମେ ୨୩ ଅଗଷ୍ଟ, ତା’ପରେ ୩୧ ଅଗଷ୍ଟ ଏବଂ ପରେ ୭ ସେପ୍ଟେମ୍ୱର କରାଯାଇଥିଲା, ଯାହାକୁ ଏବେ ପୁଣି ବଢ଼ାଇ ୧୪ ସେପ୍ଟେମ୍ୱର କରାଯାଇଛି। ବର୍ତ୍ତମାନ ଏହି ଅନ୍ତିମ ତାରିଖ ପାଇଁ ଖୁବ କମ ସମୟ ବାକି ଅଛି, ତେଣୁ ଶେଷ ମୁହୂର୍ତ୍ତର ଭିଡ଼ ଏବଂ ସର୍ଭର ଜନିତ ସମସ୍ୟାରୁ ବର୍ତ୍ତିବା ପାଇଁ ଏହାକୁ ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ।
ପ୍ରଥମ ସମୟସୀମା: ୧୬ ଅଗଷ୍ଟ ୨୦୨୬
ପ୍ରଥମ ସମୟ ବୃଦ୍ଧି: ୨୩ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ
ଦ୍ୱିତୀୟ ସମୟ ବୃଦ୍ଧି: ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ
ତୃତୀୟ ସମୟ ବୃଦ୍ଧି: ୭ ସେପ୍ଟେମ୍ୱର ୨୦୨୬ ପର୍ଯ୍ୟନ୍ତ
ବର୍ତ୍ତମାନର ତଥା ଅନ୍ତିମ ତାରିଖ: ୧୪ ସେପ୍ଟେମ୍ୱର ୨୦୨୬
* ଜଣେ ବ୍ୟକ୍ତିଙ୍କ ନାମରେ ଚାଲୁଥିବା ବେଆଇନ କିମ୍ୱା ଏକାଧିକ ସଂଯୋଗକୁ ଚିହ୍ନଟ କରିବା।
* ଯୋଗ୍ୟ ଉପଭୋକ୍ତାମାନଙ୍କୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବସିଡି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ନିରବଚ୍ଛିନ୍ନ ଭାବରେ ପହଞ୍ଚାଇବା।
* ଉପଭୋକ୍ତାଙ୍କ ଠିକଣା ଏବଂ ବାୟୋମେଟ୍ରିକ ବିବରଣୀ ମେଳ କରି ରେକର୍ଡ ଅଦ୍ୟତନ (update) କରିବା।
ଘରେ ବସି ମୋବାଇଲ କିମ୍ୱା ଏଜେନ୍ସି ଜରିଆରେ ଏପରି କରନ୍ତୁ eKYC
* ନିଜ ସମ୍ପୃକ୍ତ ଗ୍ୟାସ କମ୍ପାନୀ ଯଥା HP Pay, IndianOil One କିମ୍ୱା Hello BPCL ର ଅଫିସିଆଲ ମୋବାଇଲ ଆପ ଡାଉନଲୋଡ କରନ୍ତୁ।
* ନିଜର ପଞ୍ଜୀକୃତ ମୋବାଇଲ ନମ୍ୱର ମାଧ୍ୟମରେ ଲଗ-ଇନ କରନ୍ତୁ ଏବଂ eKYC ବିକଳ୍ପକୁ ବାଛନ୍ତୁ।
* ଫେସ ଅଥେଣ୍ଟିକେସନ କିମ୍ୱା ମୋବାଇଲ ଓଟିପି (OTP) ଜରିଆରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।
ଅଫଲାଇନ ମାଧ୍ୟମ ଅର୍ଥାତ ଗ୍ୟାସ ଏଜେନ୍ସିକୁ ଯାଇ:
* ଯଦି ଅନଲାଇନ ପ୍ରକ୍ରିୟାରେ କୌଣସି ଅସୁବିଧା ହେଉଛି, ତେବେ ନିଜର ସମ୍ପୃକ୍ତ ଏଲ୍ପିଜି ବିତରକ ଏଜେନ୍ସିକୁ ଯାଆନ୍ତୁ।
* ନିଜ ସହିତ ଗ୍ୟାସ ପାସବୁକ ଏବଂ ଆଧାର କାର୍ଡର ନକଲ ନେଇ ଯାଆନ୍ତୁ।
* ଏଜେନ୍ସିରେ ଉପଲବ୍ଧ ବାୟୋମେଟ୍ରିକ ମେସିନରେ ଫିଙ୍ଗରପ୍ରିଣ୍ଟ ସ୍କାନ କରାଇ ତୁରନ୍ତ ଇ-କେୱାଇସି ସମ୍ପୂର୍ଣ୍ଣ କରାନ୍ତୁ।