ନୂଆଦିଲ୍ଲୀ,୨୩।୧୨: ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ୨୦୨୫-୨୭ ଫାଇନାଲ୍ରେ ପହଞ୍ଚିବା ଟିମ ଇଣ୍ଡିଆ ପାଇଁ ଏବେ ଚ୍ୟାଲେଞ୍ଜିଂ ହୋଇପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଡ୍ର’ ରହିବା ପରେ ଭାରତର ଫାଇନାଲ ଆଶାକୁ ଝଟକା ଲାଗିଛି। ଏବେ ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଦଳ ପାଇଁ ବାକି ଥିବା ୬ଟି ଟେଷ୍ଟରେ ବିଜୟ ହାସଲ କରିବା ଜରୁରୀ ହୋଇପଡ଼ିଛି। ତେବେ ସମସ୍ତ ମ୍ୟାଚ ଜିତିଲେ ମଧ୍ୟ ଫାଇନାଲ୍ରେ ସ୍ଥାନ ପକ୍କା ହେବ ନାହିଁ। ଏଥିପାଇଁ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ଉପରେ ମଧ୍ୟ ଭାରତକୁ ନଜର ରଖିବାକୁ ପଡ଼ିବ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ସୁଯୋଗ ଥିବା ସତ୍ତ୍ୱେ ଭାରତ ମ୍ୟାଚକୁ ଜିତିପାରି ନ ଥିଲା। ଫଳରେ ଉଭୟ ଦଳକୁ ୪-୪ ପଏଣ୍ଟ ମିଳିଥିଲା। ଏହାର ପ୍ରଭାବ WTC ପଏଣ୍ଟ ଟେବୁଲରେ ପଡ଼ିଛି। ଭାରତର ପଏଣ୍ଟ ପ୍ରତିଶତ (PCT) ହ୍ରାସ ପାଇଥିବା ବେଳେ ଫାଇନାଲ ଦୌଡ଼ ଆହୁରି ରୋଚକ ହୋଇଛି।
ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ଗୋଟିଏ ଟେଷ୍ଟ ଖେଳିବାକୁ ରହିଛି। ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍ର ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ। ଅର୍ଥାତ୍ ଭାରତ ପାଖରେ ମୋଟ ୬ଟି ମ୍ୟାଚ ବାକି ରହିଛି।
ଭାରତ ପାଇଁ କ’ଣ ରହିଛି ଫାଇନାଲ ସମୀକରଣ?
ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ଟେଷ୍ଟ ଭାରତ ପାଇଁ ନିର୍ଣ୍ଣାୟକ ହୋଇପାରେ। ଯଦି ଭାରତ ଏହି ମ୍ୟାଚ ହାରିଯାଏ, ତେବେ ଫାଇନାଲ ରାସ୍ତା ଆହୁରି କଷ୍ଟକର ହେବ। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆକୁ ନ୍ୟୁଜିଲାଣ୍ଡ ବିପକ୍ଷ ସମସ୍ତ ୪ଟି ଟେଷ୍ଟ ଜିତିବାକୁ ହେବ। ଏହା ସହ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ର ସିରିଜ ୫-୦ରେ ଜିତିବାକୁ ପଡ଼ିବ। ତେବେ ଯାଇ ଭାରତ ଫାଇନାଲ ଦୌଡ଼ରେ ନିଜ ସ୍ଥିତି ମଜଭୁତ କରିପାରିବ।
ଅନ୍ୟପକ୍ଷରେ ଭାରତ ଯଦି ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ଏବଂ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୪-୦ରେ କ୍ଲିନ ସୁଇପ କରେ, ତେବେ ଭାରତ ପାଇଁ ସମୀକରଣ କିଛିଟା ସହଜ ହେବ। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫-୦ କିମ୍ବା ୪-୦ରେ ସିରିଜ ଜିତିଲେ ଭାରତର ଫାଇନାଲ ଆଶା ଉଜ୍ଜ୍ୱଳ ହେବ। କିନ୍ତୁ ୪-୧ରେ ସିରିଜ ଜିତିଲେ ଅଷ୍ଟ୍ରେଲିଆର ପଏଣ୍ଟ ପ୍ରତିଶତ ଭାରତଠାରୁ ଅଧିକ ରହିପାରେ।
ଭାରତର ଫାଇନାଲ ଭାଗ୍ୟ କେବଳ ନିଜ ପ୍ରଦର୍ଶନ ଉପରେ ନୁହେଁ, ଅନ୍ୟ ଦଳଗୁଡ଼ିକର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବ। ନ୍ୟୁଜିଲାଣ୍ଡକୁ ଆଗକୁ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଖେଳିବାକୁ ରହିଛି। ବାକି ୯ଟି ଟେଷ୍ଟରୁ ୭ଟିରେ ବିଜୟୀ ହେଲେ ନ୍ୟୁଜିଲାଣ୍ଡ ଫାଇନାଲ୍ରେ ପହଞ୍ଚିବାର ସୁଯୋଗ ପାଇପାରିବ।
ସେହିପରି ଦକ୍ଷିଣ ଆଫ୍ରିକା ଏବେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଛି। ଦଳ ୮ଟି ଟେଷ୍ଟ ଖେଳି ୬ଟିରେ ବିଜୟୀ ହୋଇଛି। ଆଉ ୬ଟି ଟେଷ୍ଟ ଖେଳିବାକୁ ବାକି ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆକୁ ଆହୁରି ୯ଟି ଟେଷ୍ଟ ଖେଳିବାକୁ ହେବ।
ଏଭଳି ସ୍ଥିତିରେ ଟିମ ଇଣ୍ଡିଆକୁ ନିଜର ବାକି ସମସ୍ତ ମ୍ୟାଚ ଜିତିବା ସହ ଅନ୍ୟ ଦଳର ଫଳାଫଳକୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ। ତେଣୁ WTC ୨୦୨୭ ଫାଇନାଲ୍ରେ ପହଞ୍ଚିବା ପାଇଁ ଭାରତୀୟ ଦଳକୁ ଆଗାମୀ ମ୍ୟାଚ୍ଗୁଡ଼ିକରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।