ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ ନେଇ ବିଚାର କରୁଛନ୍ତି। ଯଦିଓ ବର୍ତ୍ତମାନ ୟୁପିଆଇ ଉପରେ କୌଣସି ଶୁଳ୍କ (ଚାର୍ଜ) ଲାଗୁ କରାଯାଇ ନାହିଁ, କିନ୍ତୁ ଆଗକୁ ଯାଇ ବଡ଼ ବ୍ୟବସାୟୀଙ୍କଠାରେ ୟୁପିଆଇ ପେମେଣ୍ଟ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲଗାଯାଇପାରେ। ଏହାଦ୍ୱାରା ଗ୍ରାହକଙ୍କ ପେମେଣ୍ଟ କରିବାର ଅଭ୍ୟାସ ଉପରେ ପ୍ରଭାବ ପଡ଼ିବ। ଏହି ସମୟରେ ଏକ ସର୍ଭେରୁ ଜଣାପଡ଼ିଛି ଯେ, ଯଦି ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଫିସ୍ ଲଗାଯାଏ, ତେବେ ପାଖାପାଖି ୫୦% ୟୁଜର୍ସ ପୁଣିଥରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର ବ୍ୟବହାର ଆରମ୍ଭ କରିପାରନ୍ତି।
ସର୍ଭେ କ’ଣ କହୁଛି?
LocalCircles ର ସର୍ଭେ ଅନୁସାରେ, ଯଦି ବଡ଼ ବ୍ୟବସାୟୀଙ୍କଠାରେ ୟୁପିଆଇ ପେମେଣ୍ଟ ଉପରେ ଶୁଳ୍କ ଲଗାଯାଏ, ତେବେ ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ଗ୍ରାହକ ଅର୍ଥାତ୍ ପାଖାପାଖି ୫୦% ଲୋକ ୟୁପିଆଇ ବଦଳରେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ କରିବାକୁ ପସନ୍ଦ କରିବେ। ଏହାର ସିଧାସଳଖ ଅର୍ଥ ହେଉଛି ବିନା ଶୁଳ୍କରେ ଏବଂ ସହଜରେ ଟ୍ରାଞ୍ଜାକ୍ସନ ହେବାହିଁ ୟୁପିଆଇର ସବୁଠାରୁ ବଡ଼ ଶକ୍ତି।
ପୂରା ମାମଲା କ’ଣ?
ମିଡିଆ ରିପୋର୍ଟ ଅନୁସାରେ, ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନଗତ ଢାଞ୍ଚାରେ ପରିବର୍ତ୍ତନ ନେଇ ବିଚାର କରୁଛନ୍ତି। ପ୍ରସ୍ତାବ ଅନୁଯାୟୀ, ଆଗକୁ ଯାଇ ସରକାର ଏହା ସ୍ଥିର କରିପାରିବେ ଯେ କେଉଁ ଡିଜିଟାଲ୍ ପେମେଣ୍ଟ ଆପ୍ଗୁଡ଼ିକୁ ଟ୍ରାଞ୍ଜାକ୍ସନ ଚାର୍ଜରୁ ଛାଡ଼ ମିଳିବ। ଏହାର ଅର୍ଥ ଏହା ନୁହେଁ ଯେ ୟୁପିଆଇ ଉପରେ ଏବେଠାରୁ ଚାର୍ଜ ଲାଗିଗଲାଣି, ବରଂ ସରକାରଙ୍କୁ ଭବିଷ୍ୟତରେ ଏହି ସମ୍ବନ୍ଧୀୟ ନିଷ୍ପତ୍ତି ନେବାର ଅଧିକାର ମିଳିପାରେ।
କେଉଁ ଟ୍ରାଞ୍ଜାକ୍ସନ ଉପରେ ଲାଗିବ ଫିସ୍?
ମିଡିଆ ରିପୋର୍ଟ ଅନୁସାରେ, ଏହି ସବୁ ଆଲୋଚନା ବଡ଼ ବ୍ୟବସାୟୀଙ୍କୁ କରାଯାଉଥିବା ୨,୦୦୦ କିମ୍ବା ୩,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ MDR ଲଗାଇବାକୁ ନେଇ ଚାଲିଛି। ହେଲେ, ଏହା ଉପରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ (ଅଫିସିଆଲ୍) ନିଷ୍ପତ୍ତି ହୋଇନାହିଁ।
ଯଦି ଆଗକୁ ଯାଇ ବଡ଼ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଫିସ୍ ଲାଗିବା ଆରମ୍ଭ ହୁଏ, ତେବେ ଗ୍ରାହକ ପେମେଣ୍ଟ ପାଇଁ ଅନ୍ୟ ବିକଳ୍ପ ଦେଖିପାରନ୍ତି। ଅନ୍ୟପଟେ, ଛୋଟ ଦୋକାନୀ ଏବଂ ସାଧାରଣ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ବର୍ତ୍ତମାନ କୌଣସି ପରିବର୍ତ୍ତନର କଥା ଚାଲିନାହିଁ।
କ’ଣ ଏବେଠାରୁ ଦେବାକୁ ପଡ଼ିବ ଚାର୍ଜ?
ନା, ବର୍ତ୍ତମାନ ପାଇଁ ୟୁପିଆଇ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ମାଗଣା ଅଟେ। ସରକାର ଏପର୍ଯ୍ୟନ୍ତ କୌଣସି ପ୍ରକାରର MDR ଲାଗୁ କରିନାହାନ୍ତି। ଏହା ବର୍ତ୍ତମାନ କେବଳ ଏକ ପ୍ରସ୍ତାବିତ ଆଇନଗତ ପରିବର୍ତ୍ତନ ଏବଂ ଏହା ଉପରେ ନିଷ୍ପତ୍ତି ନିଆଯିବା ବାକି ଅଛି।