ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଯାତ୍ରାବେଳେ ରିଲ୍ସ ଦେଖିଲେ ଜେଲ! କଡ଼ା ନିୟମ ଆଣୁଛି ରେଳବାଇ

ନୂଆଦିଲ୍ଲୀ,୨୧।୧୧: ଯାତ୍ରା ସମୟରେ ପ୍ରାୟତଃ ଦେଖିବାକୁ ମିଳେ ଯେ ପାଖ ସିଟରେ ବସିଥିବା କୌଣସି ଯାତ୍ରୀ ବିନା ଇୟରଫୋନରେ ଉଚ୍ଚ ସୱରରେ ରିଲ୍ସ ଦେଖୁଥାନ୍ତି କିମ୍ୱା ଫୋନରେ ଜୋରରେ କଥା ହେଉଥାନ୍ତି। ଏହାଦ୍ୱାରା ଅନ୍ୟ ଯାତ୍ରୀମାନଙ୍କ ନିଦ ଏବଂ ଶାନ୍ତି ଉଭୟ ଭଙ୍ଗ ହୋଇଥାଏ। ତେବେ ଏବେ ଏହି ସମସ୍ୟାର ସମାଧାନ ପାଇଁ ରେଳବାଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପୂର୍ୱ ରେଳବାଇ (Eastern Railway) ସ୍ପଷ୍ଟ କରିଛି ଯେ ଟ୍ରେନ ଏବଂ ଷ୍ଟେସନ ପରିସରରେ ମୋବାଇଲ ଯୋଗେ ଶବ୍ଦ ପ୍ରଦୂଷଣ ବା ପାଟିତୁଣ୍ଡ କଲେ ଏବେ ସିଧାସଳଖ ଜେଲ ହାୱା ଖାଇବାକୁ ପଡ଼ିପାରେ।

କୋଲକାତା ମୁଖ୍ୟାଳୟ ଥିବା ପୂର୍ୱ ରେଳବାଇ ପକ୍ଷରୁ ଏହାର ସମସ୍ତ ଚାରୋଟି ମଣ୍ଡଳକୁ ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ରେଳବାଇ ବୋର୍ଡର ଏକ ଆଡଭାଇଜରୀ ଆଧାରରେ ଜାରି ହୋଇଥିବା ଏହି ଆଦେଶରେ କୁହାଯାଇଛି ଯେ ଷ୍ଟେସନ ଏବଂ ଟ୍ରେନ ଭିତରେ ମୋବାଇଲ ଫୋନ୍ର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରାଯାଉ। ଏକ ସରକାରୀ ବିବୃତ୍ତିରେ ପୂର୍ୱ ରେଳବାଇ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ସ୍ପିକର ମୋଡ୍ରେ ଗୀତ ବଜାଇବା, ଭିଡିଓ ଚଳାଇବା କିମ୍ୱା ଫୋନ୍ରେ ଦୀର୍ଘ ସମୟ ଧରି ଉଚ୍ଚ ସୱରରେ କଥା ହେବା ’ନ୍ୟୁସେନ୍ସ’ (ଉପଦ୍ରବ) ଶ୍ରେଣୀଭୁକ୍ତ ଅଟେ। ଏଭଳି କରୁଥିବା ଯାତ୍ରୀମାନଙ୍କ ବିରୋଧରେ ଏବେ କଠୋର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯଦି କୌଣସି ଯାତ୍ରୀ ଯାତ୍ରା ସମୟରେ ଅନ୍ୟମାନଙ୍କ ଶାନ୍ତି ଭଙ୍ଗ କରୁଥିବା ଦେଖାଯାଏ, ତେବେ ରେଳବାଇ ସୁରକ୍ଷା ବଳ (RPF) କିମ୍ୱା ଟିକେଟ ଚେକିଂ ଷ୍ଟାଫ (TTE) ସମ୍ପୃକ୍ତ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ପୂର୍ୱ ରେଳବାଇ ମୁତାବକ, ଏଭଳି କାର୍ଯ୍ୟକଳାପ ପାଇଁ ରେଳବାଇ ଅଧିନିୟମ, ୧୯୮୯ର ଧାରା ୧୪୫ ଅନୁଯାୟୀ ମାମଲା ରୁଜୁ କରାଯାଇପାରିବ। ଏହି ଆଇନ ଅଧୀନରେ ଦୋଷୀ ସାବ୍ୟସ୍ତ ହେଲେ ଯାତ୍ରୀଙ୍କୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏହାବ୍ୟତୀତ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ମଧ୍ୟ ହୋଇପାରେ, କିମ୍ୱା ଜରିମାନା ଓ ଜେଲ ଉଭୟ ଦଣ୍ଡ ଏକାସାଙ୍ଗରେ ଦିଆଯାଇପାରେ।

ଭାରତୀୟ ରେଳରେ ପ୍ରତିଦିନ କୋଟି କୋଟି ଲୋକ ଯାତ୍ରା କରନ୍ତି। ରାତି ସମୟରେ କିମ୍ୱା ଦୂରଗାମୀ ଟ୍ରେନଗୁଡ଼ିକରେ ପାଟିତୁଣ୍ଡକୁ ନେଇ ଯାତ୍ରୀମାନଙ୍କ ପକ୍ଷରୁ ଲଗାତାର ଅଭିଯୋଗ ଆସୁଥିଲା। ବିଶେଷକରି ସୋସିଆଲ ମିଡିଆ ରିଲ୍ସ ଏବଂ ଭିଡିଓ କଲ୍ର ବଢ଼ୁଥିବା ଟ୍ରେଣ୍ଡ ସହଯାତ୍ରୀମାନଙ୍କ ଅସୁବିଧା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏବେ ଜରିମାନା ଏବଂ ଦଣ୍ଡବିଧାନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି, ଯେପରିକି ପ୍ରତ୍ୟେକ ଯାତ୍ରୀ ବିନା କୌଣସି ମାନସିକ ଚାପରେ ନିଜ ଯାତ୍ରା ସମ୍ପୂର୍ଣ୍ଣ କରିପାରିବେ।

ତେଣୁ ଆଗାମୀ ଥର ଯେତେବେଳେ ଆପଣ ଟ୍ରେନ୍ରେ ଯାତ୍ରା କରିବେ, ସେତେବେଳେ ନିଜ ଇୟରଫୋନ କିମ୍ୱା ହେଡଫୋନ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ। ଆପଣଙ୍କର ଏକ ଛୋଟ ସାବଧାନତା କେବଳ ଅନ୍ୟମାନଙ୍କ ଯାତ୍ରାକୁ ସୁଖଦ କରିବ ନାହିଁ, ବରଂ ଆପଣଙ୍କୁ ଜେଲ ଏବଂ ଜରିମାନାରୁ ମଧ୍ୟ ରକ୍ଷା କରିବ।

Share