ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ ବୋମାର ଉଦ୍ଭାବକ ଓପେନ୍‌ ହେମରଙ୍କୁ ପ୍ରଥମେ ଗୁପ୍ତ ଅସ୍ତ୍ରଶସ୍ତ୍ର ପରୀକ୍ଷାଗାରର ଦାୟିତ୍ୱ ଦିଆଯାଇଥିଲା। ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିଲା ଏବଂ ୧୯୪୧ ଅକ୍ଟୋବରରେ ଆମେରିକା ବିଶ୍ୱଯୁଦ୍ଧରେ ସାମିଲ ହେବାର ଦୁଇମାସ ପୂର୍ବରୁ ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍‌ ରୁଜ୍‌ଭେଲ୍‌ଟ ପରମାଣୁ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଥିଲେ। ୧୯୪୨ ମେ’ରେ ଜାତୀୟ ପ୍ରତିରକ୍ଷା ଗବେଷଣା କମିଟିର ଅଧ୍ୟକ୍ଷ ଜେମ୍‌ସ ବି କୋନାଣ୍ଟ ହାଭାର୍ଡରେ ତାଙ୍କର ଜଣେ ମେଧାବୀ ଛାତ୍ର ଥିବା ଓପେନ୍‌ ହେମରଙ୍କୁ ଫାଷ୍ଟ ନ୍ୟୁଟ୍ରନ୍‌ ଗଣନା ପାଇଁ ଡାକିଲେ। ସେହି ବର୍ଷ ଅଗଷ୍ଟରେ ଆମେରିକା ସେନା ପରମାଣୁ ବୋମା ପ୍ରକଳ୍ପ ପାଇଁ ମାନ୍‌ହଟ୍ଟାନ ଇଞ୍ଜିନିୟର ଡିଷ୍ଟ୍ରିକ୍ଟ ଗଠନ କଲେ। ସେପ୍ଟେମ୍ବରରେ ପ୍ରକଳ୍ପର ନିର୍ଦ୍ଦେଶକ ହେଲେ ଲେସ୍‌ଲି ଗୌଭସ୍‌ ଏବଂ ପରୀକ୍ଷାଗାର ପରିଚାଳନା ପାଇଁ ସେ ଓପେନ୍‌ ହେମରଙ୍କୁ ଦାୟିତ୍ୱ ଦେଲେ। ୧୯୪୫ ଜୁଲାଇ ୧୬ରେ ହେମରଙ୍କ ତତ୍ତ୍ୱାବଧାନରେ ଲସ୍‌ ଆଲାମୋସ୍‌ଠାରୁ ଦକ୍ଷିଣକୁ ୩୪୦ କିଲୋମିଟର ଦୂର ଏକ ସ୍ଥାନରେ ପୃଥିବୀର ପ୍ରଥମ ପରମାଣୁ ବୋମା ପରୀକ୍ଷଣ କରାଯାଇଥିଲା। ଏହା ଟ୍ରିନିଟି ଟେଷ୍ଟ ନାମରେ ପରିଚିତ। ଏକ ବିଶେଷ ସାକ୍ଷାତ୍‌କାରରେ ସେ କ୍ଷୋଭର ସହ କହିଥିଲେ, ସେତେବେଳେ ତାଙ୍କ ମୁହଁରୁ ବାହାରି ଯାଇଥିଲା, ‘କୁଲିଅସ୍‌…. ଅର୍ଥାତ୍‌ ମୁଁ ମୃତ୍ୟୁ ପାଲଟିଯାଇଛି, ସଂସାରର ବିନାଶକାରୀ ହୋଇଯାଇଛି।’
ଏହି ପରୀକ୍ଷଣ ସଫଳ ହେବାର ମାସେ ବି ହୋଇ ନ ଥିଲା, ଅଗଷ୍ଟ ୬ ଏବଂ ୯ରେ ଜାପାନର ହିରୋଶିମା ଓ ନାଗାସାକି ଉପରେ ହୋଇଥିବା ପରମାଣୁ ବୋମା ଆକ୍ରମଣରେ ଥରିଯାଇଥିଲା ସମଗ୍ର ବିଶ୍ୱ। ଏ ଦୁଃଖଦ ଘଟଣା ଇତିହାସର କଳାପୃଷ୍ଠା ହୋଇ ରହିଥିବା ବେଳେ ଏଯାବତ୍‌ ପିଢ଼ି ପରେ ପିଢ଼ି ଏହାର କୁପରିଣାମ ଭୋଗିଚାଲିଛନ୍ତି। ଆମେରିକା ପରେ ୧୯୪୯ରେ ସୋଭିଏଟ୍‌ ରୁଷ୍‌, ୧୯୫୨ରେ ବ୍ରିଟେନ୍‌, ୧୯୬୦ରେ ଫ୍ରାନ୍ସ, ୧୯୬୪ରେ ଚାଇନା ଏବଂ ୧୯୭୪ରେ ଭାରତ ପ୍ରଥମ ପରମାଣୁ ବୋମା ପରୀକ୍ଷଣରେ ସଫଳ ହୋଇଥିଲା। ଅଧୁନା ପରମାଣୁ ବୋମା ଅଧିକରୁ ଅଧିକତର ଶକ୍ତିଶାଳୀ ଏବଂ ବିନାଶକାରୀ ହୋଇଚାଲିଛି। ଏବେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସ୍ଥିତିରେ ପରମାଣୁ ବୋମାର ଆତଙ୍କରେ ବିଶ୍ୱ ଭୟଭୀତ। କେବେ ଆଉ କେତେ ଯୁଗ ପରେ ଧ୍ୱଂସକାରୀ ଚେତନାରୁ ମୁକୁଳିବେ ବିଶ୍ୱ ନେତୃବୃନ୍ଦ।
ବିଶ୍ୱରେ ବିଭିନ୍ନ ସ୍ଥଳରେ ଯୁଦ୍ଧ ଥମିବା ଦୂରର କଥା, ଏହା ଭୟାନକ ରୂପ ନେବାରେ ଲାଗିଛି। ବିଶ୍ୱ ନେତାମାନେ ହୃଦୟଙ୍ଗମ କରିବା ଉଚିତ ଯେ ପୃଥିବୀ ଏକ ଓ ନୈସର୍ଗିକ ଭ୍ରାତୃତ୍ୱ ବନ୍ଧନରେ ବନ୍ଧା। ଆମେ ବିଶ୍ୱବାସୀ ଏକ ବୃହତ୍‌ ପରିବାରର ଅନ୍ତେବାସୀ। ତା’ହେଲେ କାହିଁକି ଏ ହିଂସା ଓ ପ୍ରତିହିଂସା। କ’ଣ ପାଇଁ ଆମେ ବିଶ୍ୱବାସୀ ଶାନ୍ତିକାମୀ ନ ହୋଇ ଯୁଦ୍ଧରୂପକ ଅନଳରେ ଝାସଦେଉଛୁ। କେଉଁ ଅଧିକାରରେ ବିଶ୍ୱର ତୁଙ୍ଗନେତା ପରମାଣୁ ଅସ୍ତ୍ରର ଭୟ ଦେଖାଇ ପୃଥିବୀକୁ ଅସ୍ଥିରତା ଭିତରକୁ ଟାଣିନେଉଛନ୍ତି? ଅତୀତରେ ପରମାଣୁ ଯୁଦ୍ଧରେ ବିଶ୍ୱ ଯେପରି ଥରହର ହେଉଥିଲା ଆଜି ଠିକ୍‌ ସେହିଭଳି ପରିସ୍ଥିତି ସୃଷ୍ଟିହେବାକୁ ଯାଉଛି। ଏକବିଂଶ ଶତାବ୍ଦୀର ଆରମ୍ଭବେଳକୁ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ମାତ୍ର ଦୁଇଶହ ପରମାଣୁ ବୋମା ଥିଲାବେଳେ କେବଳ ରୁଷ୍‌ ନିକଟରେ ପ୍ରାୟ ଦୁଇହଜାର ଅସ୍ତ୍ର ଗଚ୍ଛିତ ଥିଲା। ମାତ୍ର ଆଜି ତାହାର ସଂଖ୍ୟା ଶତଗୁଣ ଅଧିକ । ସମ୍ପୂର୍ଣ୍ଣ ପୃଥିବୀକୁ ଧ୍ୱଂସ କରିବାକୁ ମାତ୍ର ପାଞ୍ଚଟି ଶକ୍ତିଶାଳୀ ବୋମା ଯଥେଷ୍ଟ। ଏକଦା ରୁଷିଆ ରାଷ୍ଟ୍ରପତି ପୁଟିନ୍‌ କହିଥିଲେ, ‘ଆମ ଉପରେ ଆକ୍ରମଣ ହେଲେ ଆମେ ଶହୀଦ ହୋଇ ସ୍ବର୍ଗକୁ ଯିବୁ; କିନ୍ତୁ ଯେଉଁମାନେ ଆମକୁ ମାରିବେ ସେମାନେ ଘୋର ଦୁର୍ଦ୍ଦଶା ଭୋଗ କରିବେ, କାରଣ ଅନୁତାପ କରିବାକୁ ବି ସେମାନେ ସମୟ ପାଇବେ ନାହିଁ।’ ବାସ୍ତବିକ ଯୁଦ୍ଧ ହିଁ ଧ୍ୱଂସ, ନରସଂହାରର ପରିଚୟ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏଟ୍‌ ରୁଷ୍‌, ଜର୍ମାନୀ ଓ ଇଂଲଣ୍ଡର ଅନେକ ଲକ୍ଷ ସୈନ୍ୟ ଯୁଦ୍ଧକ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ। ଏହି ମହାସମରରେ ପ୍ରାୟ ୩୮ ନିୟୁତ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ଯୁଦ୍ଧ ସମୟରେ କ୍ରମାଗତ ଭାବେ ୧୫୪ ଦିନ ଧରି ବୋମାବର୍ଷଣ ହେବା ସହ ୬୭୦୦ ଟନ୍‌ ବିସ୍ଫୋରକ ଭୂପୃଷ୍ଠରେ ନିକ୍ଷେପ କରାଯାଇଥିଲା। ବ୍ରିଟେନ୍‌, ଫ୍ରାନ୍ସ ଓ ପୋଲାଣ୍ଡରେ ସବୁଠାରୁ ବେଶି ପରିମାଣରେ ବୋମା ନିକ୍ଷେପ କରାଯାଇଥିଲା। ତା’ହେଲେ ଆମେ ଚେତିବା କେବେ। ହେ ରାଷ୍ଟ୍ରନେତା! ଜାଣିରଖ, ବର୍ତ୍ତମାନ ଯୁଦ୍ଧ ନୁହେଁ; ଶାନ୍ତି ଓ ସଦ୍‌ଭାବନାର ସହ ଏକମାତ୍ର ଜୀବଧାରୀ ପୃଥିବୀରେ ବସବାସ କରିବାର ସମୟ।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଦୀର୍ଘଦିନ ପରେ ଥମି ନ ଥିବା ବେଳେ ଏଣେ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ବିଶ୍ୱ ପାଇଁ ବିପଦ ସୃଷ୍ଟିକଲାଣି। ବିଜ୍ଞାନ ଦୃଷ୍ଟିରୁ ବିଶ୍ଳେଷଣ କଲେ ଜଣାଯାଏ ଯେ ପୃଥିବୀପୃଷ୍ଠରେ ବାସ କରୁଥିବା କୌଣସି ଜାତିର ହିଂସ୍ର ଜନ୍ତୁ ନିଜ ପ୍ରଜାତିର ଜୀବଙ୍କୁ ବିନା କାରଣରେ ହଠାତ୍‌ ଏତେସଂଖ୍ୟାରେ କଷ୍ଟଦେଇ ମାରେନାହିଁ, ଯାହା ସଭ୍ୟ ମଣିଷ ଅତି ସହଜରେ ଓ ନିଶ୍ଚିନ୍ତରେ କରିପାରେ। ଏଭଳି ଘଟଣା ସମଗ୍ର ବିଶ୍ୱବାସୀଙ୍କୁ ଲଜ୍ଜିତ କରିଛି। ଅସୁରକ୍ଷିତ ନିରୀହ ମହିଳା, ଶିଶୁ ଏବଂ ବୟସ୍କମାନେ ଏବେ ଏଠାରେ ବଞ୍ଚତ୍ବା ପାଇଁ ଯେଭଳି ବ୍ୟାକୁଳ ହେଉଛନ୍ତି ଏହାଠାରୁ ଅଧିକ ଦୁଃଖଦ ଘଟଣା ଏକବିଂଶ ଶତାବ୍ଦୀରେ ଆଉ କ’ଣ ବା ହୋଇପାରେ।
କଥାରେ ଅଛି-‘ବିଶ୍ୱାସ ମୂଳେ ଏ ଜଗତ’ ଅର୍ଥାତ୍‌ ଏହି ପୃଥିବୀ ବିଶ୍ୱାସ ଉପରେ ଆଧାରିତ। ପୃଥିବୀପୃଷ୍ଠରେ ମନୁଷ୍ୟ ଶ୍ରେଷ୍ଠପ୍ରାଣୀ ରୂପେ ବିବେଚିତ। ମନୁଷ୍ୟ ମଧ୍ୟ ଏକ ସଚେତନ ପ୍ରାଣୀ। ମାତ୍ର ମଣିଷକୃତ ଯୁଦ୍ଧ ଯୋଗୁ ଆଜି ବିଶ୍ୱରେ ଅନେକ ଅଞ୍ଚଳରେ ଖାଦ୍ୟ, ଜଳ ଓ ମୃତ୍ତିକା ସଙ୍କଟ ମଣିଷ ତଥା ସମାଜକୁ ଧ୍ୱଂସାଭିମୁଖୀ ଆଡ଼କୁ ଅଗ୍ରସର କରିନେଉଛି। ଫରାସୀ ନୋବେଲ ବିଜେତା ଆଲେକ୍‌ଶିଷ୍‌ କ୍ୟାରେଲ ୧୯୦୨ରେ ସତର୍କ କରି ଦେଇଥିଲେ। କହିଥିଲେ- ମାଟି ଅସୁସ୍ଥ, ସୁସ୍ଥ ହେବା କଷ୍ଟସାଧ୍ୟ। କାରଣ ରାସାୟନିକ ସାର, କୀଟନାଶକ ବିଷ ଓ ସର୍ବୋପରି ଯୁଦ୍ଧଜନିତ ବୋମା ଓ ଗୁଳିଗୋଳା ବାରୁଦର ଅବଶେଷ ଦ୍ୱାରା ମାଟି ମା’ ରୋଗଗ୍ରସ୍ତ।
ଯୁଦ୍ଧ ଆଉ କେତେ କାଳ? ରୁଷିଆ -ୟୁକ୍ରେନ ଓ ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ଆଜି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ବଡ଼ ଆହ୍ବାନ। ଏକବିଂଶ ଶତାବ୍ଦୀରେ ଯେତେବେଳେ ସମଗ୍ର ବିଶ୍ୱ ଆଡ଼କୁ ଅନେକ ପରିବେଶ ପ୍ରଦୂଷଣଜନିତ ବିପତ୍ତି ମାଡ଼ିଆସୁଛି, ସେଥିରୁ ପୃଥିବୀର ବର୍ଦ୍ଧିତ ଜନତାକୁ ଆମେ ସୁରକ୍ଷିତ ରଖିବା ବିଷୟରେ ଚିନ୍ତା ନ କରି ବିସ୍ତାରବାଦୀ ତଥା ସଂକୀର୍ଣ୍ଣ ରାଜନୈତିକ ଚିନ୍ତାଧାରାରେ କବଳିତ ନେତା ବିକାଶ ଛାଡ଼ି ସମଗ୍ର ବିଶ୍ୱକୁ ଧ୍ୱଂସ କରିବାରେ ବ୍ରତୀ ହେବାଭଳି ମନେହେଉଛି। ଏବେ ଯୁଦ୍ଧ ନୁହେଁ; ଶାନ୍ତି, ସଦ୍‌ଭାବନା ଓ ଭ୍ରାତୃଭାବନା ସହ ରହିବାର ବେଳ। ଏହାକୁ ଯୁଦ୍ଧଖୋର୍‌ ରାଷ୍ଟ୍ରର ମୁଖ୍ୟ ହୃଦୟଙ୍ଗମ କରିବା ଉଚିତ।
ପରିବେଶ ବିଜ୍ଞାନୀ ମୋ:୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri