କେତେ ଦିନ ପିନ୍ଧିବାକୁ ପଡ଼ିବ ମାସ୍କ୍‌, ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୧୪।୯: କରୋନା ମହାମାରୀକୁ ଏଡାଇବା ପାଇଁ ମାସ୍କକୁ କେତେ ଦିନ ପିନ୍ଧିବାକୁ ପଡିବ ଏନେଇ ସରକାରୀ ପ୍ୟାନେଲ ଉତ୍ତର ଦେଇଛନ୍ତି। ପ୍ୟାନେଲ ଅନୁସାରେ କରୋନା ସମସ୍ତଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ମାସ୍କ ପିନ୍ଧିବା ସହିତ କରୋନା ମାର୍ଗଦର୍ଶିକା, ସାମାଜିକ ଦୂରତା ବଜାୟ ରଖିବା ଆମ ଜୀବନର ଏକ ଅଂଶ ପାଲଟି ଯାଇଛି ବୋଲି ପ୍ୟାନେଲ ପକ୍ଷରୁ କୁହାଯାଇଛି। ଲୋକମାନେ କରୋନା ଟିକା ନେଇ ନିଜକୁ ସୁରକ୍ଷିତ ମନେ କରୁଛନ୍ତି। ମାତ୍ର ପ୍ରକୃତ ପକ୍ଷେ ସମସ୍ତ ମାର୍ଗଦର୍ଶିକା ପାଳନ ସହିତ ମାସ୍କ୍‌ ପିନ୍ଧିବା ଜରୁରୀ। ଆସନ୍ତା ବର୍ଷ ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ପଡିବ ପ୍ରଶ୍ନର ଉତ୍ତରରେ ନୀତି ଆୟୋଗ ସଦସ୍ୟ ଡ. ବି.କେ ପଲ ସୂଚନା ଦେଇଛନ୍ତି ।
ପଲଙ୍କ ଅନୁଯାୟୀ, କରୋନାକୁ ପରାସ୍ତ କରିବା ପାଇଁ ଟିକା, ଔଷଧ ଏବଂ କରୋନା ମାର୍ଗଦର୍ଶିକା ପାଳନ ଆବଶ୍ୟକ। ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ପଲ ଚେତାବନୀ ଦେଇ କହିଛନ୍ତି ଯେ, ତୃତୀୟ ଲହର ଆଶଙ୍କା ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଆସନ୍ତା ଦିନ ଗୁଡ଼ିକ ବିପଦପୂର୍ଣ୍ଣ ।
ଭାରତରେ କରୋନାର ତୃତୀୟ ଲହର ଆସିବ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଆଗାମୀ ଚାରି-ପାଞ୍ଚ ମାସ ମଧ୍ୟରେ ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରେ ମହାମାରୀରୁ ବଞ୍ଚିବା ପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ ଏବଂ ଏକଜୁଟ ହୋଇ ଲଢ଼ିବା ଦ୍ୱାରା ଏହା ସମ୍ଭବ ହେବ ବୋଲି ସେ କହିଛନ୍ତି। ଦୀପାବଳି ଏବଂ ଦୁର୍ଗାପୂଜା ଭଳି ବଡ ପର୍ବକୁ ଦୃଷ୍ଟିରେ ରଖି ସେ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଯଦି ଏହି ସମୟ ମଧ୍ୟରେ କରୋନା ମାର୍ଗଦର୍ଶିକା ପାଳନ ନ ହୁଏ ତେବେ କରୋନା ମହାମାରୀ ପୁଣି ତାଣ୍ଡବ ରଚିବାର ଆଶଙ୍କା ଥିବା ସେ କହିଛନ୍ତି।

Share