୨୮ ଛକା ମାରି ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ, ବଡ଼ ରାଜ୍ ଖୋଲିଲେ ମେଣ୍ଟର

ନୂଆଦିଲ୍ଲୀ,୨୫।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସରେ ୟୁଏଇ ବିପକ୍ଷ ମ୍ୟାଚ୍‌ରେ ରେକର୍ଡଭରା ପାଳି ଖେଳି ଚର୍ଚ୍ଚାକୁ ଆସିଛନ୍ତି ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୫୩ଟି ବଲ୍‌ରୁ ୨୦୪ ରନ୍‌ ସଂଗ୍ରହ କରିଥିବା ଏହି ଯୁବ ବ୍ୟାଟର୍‌ ୨୮ଟି ଛକା ମାରିଥିଲେ । ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଏବେ କ୍ରିକେଟ୍‌ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମ୍ୟାଚ୍‌ର ଦଶମ ଓଭରର ଶେଷ ବଲ୍‌ରେ ବୈଭବ ମାରିଥିବା ଛକାକୁ ତାଙ୍କର ସବୁଠାରୁ ଚମତ୍କାର ସଟ୍‌ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ୟୁଏଇର ଦ୍ରୁତ ବୋଲର ଜାହିଦ ଅଲ୍ଲୀ ଅଫ୍‌ ଷ୍ଟମ୍ପ୍‌ଠାରୁ ବହୁତ ବାହାରେ ବଲ୍‌ ପକାଇଥିଲେ । ଏହା ସତ୍ତ୍ୱେ ବୈଭବ ଆଗକୁ ଓଜନ ଦେଇ ବଲ୍‌କୁ ଡିପ୍‌ ଏକ୍ସଟ୍ରା କଭର୍‌ ଉପରେ ଛକା ମାରିଥିଲେ। ବୋଲରଙ୍କ ରଣନୀତିକୁ ବିଫଳ କରି ବଲ୍‌କୁ ସିଧା ଦର୍ଶକଙ୍କ ମଧ୍ୟକୁ ପଠାଇ ଦେଇଥିଲେ ସେ।

ବୈଭବଙ୍କ ବ୍ୟାଟିଂ ଦେଖିଲେ ଲାଗୁଛି, ଯେମିତି ଦିନିକିଆ କ୍ରିକେଟ୍‌ରେ ଟି-୨୦ର ଧମାକା ଦେଖିବାକୁ ମିଳୁଛି । ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀକୁ ନେଇ ବେସ୍‌ବଲ୍‌ ପାୱାର ହିଟିଂ କୋଚ୍‌ ଜୁଲିଆନ୍‌ ଉଡ୍‌ କହିଛନ୍ତି ଯେ, ବର୍ତ୍ତମାନ ବ୍ୟାଟର୍‌ମାନେ ଲେଙ୍ଗ୍‌ଥ ବଲ୍‌ରେ ମଧ୍ୟ ଛକା ମାରିବାରେ ସକ୍ଷମ ହେଉଛନ୍ତି। ବୋଲରମାନେ ସାମାନ୍ୟ ଭୁଲ୍‌ କଲେ ତାହାର ଫଳ କେବଳ ଚୌକା ନୁହେଁ, ଛକା ଆକାରରେ ମଧ୍ୟ ମିଳୁଛି । ଏହା ବୋଲରଙ୍କ ଉପରେ ଚାପ ବଢ଼ାଉଛି ।

ବୈଭବଙ୍କ ବ୍ୟାଟ୍‌ ସ୍ୱିଙ୍ଗ୍‌ ମଧ୍ୟ ଅନ୍ୟ ବ୍ୟାଟର୍‌ଙ୍କଠାରୁ ଭିନ୍ନ । ଜୁଲିଆନ୍‌ ଉଡ୍‌ ତାଙ୍କ ବ୍ୟାଟିଂ ଶୈଳୀକୁ ବେସ୍‌ବଲ୍‌ ଖେଳାଳିଙ୍କ ସହ ତୁଳନା କରିଛନ୍ତି। ତାଙ୍କ କହିବା ଅନୁସାରେ, ବୈଭବଙ୍କ ହାତ ଉପରକୁ ଉଠିବାର ଶୈଳୀ ବେସ୍‌ବଲ୍‌ ବ୍ୟାଟର୍‌ଙ୍କ ଭଳି । ତାଙ୍କ ବ୍ୟାଟ୍‌ର ସ୍ୱିଙ୍ଗ୍‌ ସାଧାରଣତଃ ଶିଖାଯାଉଥିବା ଶୈଳୀଠାରୁ ଭିନ୍ନ ହୋଇଥିଲେ ମଧ୍ୟ ଏହା ତାଙ୍କୁ ଅଧିକ ବ୍ୟାଟ୍‌ ସ୍ପିଡ୍‌ ଦେଉଛି । ବୈଭବଙ୍କ ମେଣ୍ଟର୍‌ ଜୁବିନ୍‌ ଭରୁଚା ତାଙ୍କ ବ୍ୟାଟିଂର ଶକ୍ତି ବିଷୟରେ କହିଛନ୍ତି । ତାଙ୍କ ଅନୁସାରେ, ବୈଭବଙ୍କ ଶରୀରର ଉପର ଭାଗର ସ୍ଥିତି, ପଛ ପାଦ ଉପରେ ଶରୀରର ଓଜନ ରହିବା ତାଙ୍କୁ ଏଭଳି ଶକ୍ତିଶାଳୀ ସଟ୍‌ ଖେଳିବାରେ ସହାୟତା କରୁଛି । ଏହାଦ୍ୱାରା ସେ ବଲ୍‌ର ଲାଇନ୍‌ରୁ ନିଜ ମୁଣ୍ଡକୁ ଟିକିଏ ବାହାରକୁ ନେଇପାରୁଛନ୍ତି ଏବଂ ଅଫ୍‌ ଷ୍ଟମ୍ପ୍‌ ବାହାରେ ପଡ଼ୁଥିବା ବଲ୍‌କୁ ମଧ୍ୟ ସହଜରେ ଦେଖି ସଟ୍‌ ଖେଳିପାରୁଛନ୍ତି ।

ୟୁଏଇ ବିପକ୍ଷରେ ୫୩ ବଲ୍‌ରୁ ୨୦୪ ରନ୍‌ର ଐତିହାସିକ ପାଳି ଖେଳି ବୈଭବ ରେକର୍ଡ ବୁକ୍‌ରେ ନିଜ ନାଁ ଲେଖାଇଛନ୍ତି । ଏବେ ସେ ନିୟମିତ ଟି-୨୦ ଅନ୍ତର୍ଜାତୀୟ ଖେଳାଳି ହୋଇନଥିଲେ ମଧ୍ୟ ତାଙ୍କ ପ୍ରତିଭା ଓ ଖେଳିବାର ଶୈଳୀ ଭବିଷ୍ୟତରେ ବଡ଼ ମଞ୍ଚରେ ସୁଯୋଗ ପାଇବାର ଆଶା ସୃଷ୍ଟି କରିଛି । ଏବେ ତାଙ୍କୁ ଆହୁରି ବଡ଼ ସ୍ତରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିବା ଉଚିତ ବୋଲି କ୍ରିକେଟ୍‌ପ୍ରେମୀଙ୍କ ମତ ।

 

Dharitri – Odisha’s No.1 Odia Daily

Share