ହଂକଂ,୨୯।୧୧: ଚନ୍ଦ୍ରପୃଷ୍ଠରେ ଥିବା ସବୁଠାରୁ ବଡ଼, ଗଭୀର ଓ ପୁରାତନ ଗର୍ତ୍ତ ‘ସାଉଥ ପୋଲ-ଆଇଟକେନ୍ (ଏସ୍ପିଏ) ବେସିନର ସୃଷ୍ଟି ଓ ବିବର୍ତ୍ତନର ରହସ୍ୟ ବୈଜ୍ଞାନିକମାନେ ଉନ୍ମୋଚନ କରିଛନ୍ତି। ହଂକଂ ବିଶ୍ୱବିଦ୍ୟାଳୟ (ଏଚ୍କେୟୁ)ର ଗ୍ରହ-ଭୂତତ୍ତ୍ୱବିତ୍ଙ୍କ ନେତୃତ୍ୱରେ ହୋଇଥିବା ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରାୟ ୪୩୪ କୋଟି ବର୍ଷ ପୂର୍ବେ ଏକ ବିଶାଳ ମହାଜାଗତିକ ପିଣ୍ଡ ଚନ୍ଦ୍ର ସହ ଧକ୍କା ହେବା ଫଳରେ ଏହି ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ସାଇନ୍ସ ଆଡଭାନ୍ସେସ୍ରେ ପ୍ରକାଶିତ ଏହି ଅଧ୍ୟୟନରେ ଚାଇନାର ‘ଚାଙ୍ଗ୍-ଇ-୬’ ମିଶନ ଦ୍ୱାରା ଚନ୍ଦ୍ରର ଦୂରବର୍ତ୍ତୀ ଅଂଶରୁ ଅଣାଯାଇଥିବା ମାଟି ଓ ପଥର ନମୁନା ଏବଂ ‘ଚାଙ୍ଗ୍-ଇ-୪’ର ତଥ୍ୟକୁ ବ୍ୟବହାର କରାଯାଇଛି। ପ୍ରଫେସର ଗୁଓଚୁନ ଝାଓ ଏବଂ ଡକ୍ଟର ୟୁକି କିଆନଙ୍କ ନେତୃତ୍ୱରେ ଗବେଷକମାନେ ଉପଗ୍ରହ ତଥ୍ୟ ଓ କମ୍ପ୍ୟୁଟର ସିମୁଲେଶନ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛନ୍ତି। ଚନ୍ଦ୍ରର ଅପରପାର୍ଶ୍ୱରେ ଥିବା ଏହି ଏସ୍ପିଏ-ବେସିନ ପ୍ରାୟ ୨,୨୦୦ କିଲୋମିଟର ବ୍ୟାପୀ ବିସ୍ତୃତ ଏବଂ ଏହାର ଗଭୀରତା ୧୦ କିଲୋମିଟରରୁ ଅଧିକ। ଗବେଷକମାନେ ଏହି ଅଞ୍ଚଳରୁ ଦୁଇଟି ଭିନ୍ନ ପ୍ରକାରର ମ୍ୟାଗ୍ନେସିୟମ-ଯୁକ୍ତ ପଥର ଚିହ୍ନଟ କରିଛନ୍ତି। ଗୋଟିଏ ପ୍ରାଥମିକ ଧକ୍କା ପରେ ତରଳିଯାଇ ଥଣ୍ଡାହୋଇଥିବା ପଥରରୁ ସୃଷ୍ଟି ହୋଇଥିବା ବେଳେ ଅନ୍ୟଟି ପରବର୍ତ୍ତୀ ଆଗ୍ନେୟ ପ୍ରକ୍ରିୟାରୁ ସୃଷ୍ଟିହୋଇଛି। ଏଥିସହ ନିକଟସ୍ଥ ‘ଆପୋଲୋ ବେସିନ’ ପ୍ରାୟ ୪୨୦ କୋଟି ବର୍ଷ ଏବଂ ‘ଓରିଏଣ୍ଟାଲେ ବେସିନ’ ୩୮୭ କୋଟି ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଏହି ଗବେଷଣା ଚନ୍ଦ୍ରର ଅଭ୍ୟନ୍ତରୀଣ ଗଠନ, ନିମ୍ନ ସ୍ତରର ପଥର ଏବଂ ସୌରଜଗତର ପ୍ରାରମ୍ଭିକ ଇତିହାସ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନଙ୍କୁ ଏକ ନୂଆ ଦିଗ୍ଦର୍ଶନ ଦେବ ବୋଲି କୁହାଯାଉଛି।