ଓଡ଼ିଶା ଛାଡି ବାହାରକୁ କିପରି ଖସିଯାଇଥିଲେ ବିବନ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମୁହଁ ଖୋଲିଛନ୍ତି। ଓଡ଼ିଶାରୁ ଖସି ଯିବାରେ ବିବନକୁ କିଛି ଲୋକ ସାହାର୍ଯ୍ୟ କରିଥିଲେ। ନ ହେଲେ ସେ ଓଡ଼ିଶା ଛାଡି ଗଲେ କେମିତି। ମାମଲାରେ ଅନ୍ୟ ୨ ସହଯୋଗୀ ରହିଥିଲେ। ୩ ମାସ ତଳେ ଚୌଦ୍ୱାର ଜେଲରେ ଥିବା ଅଭିଯୁକ୍ତ ଧୀରେନ୍ଦ୍ରଙ୍କୁ ଭେଟିଥିଲି। ତାଙ୍କୁ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଯୋଜନା ହୋଇଥିଲା। ସହଯୋଗୀମାନେ ବିବନକୁ ବିକେ ନାଁରେ ଡାକୁଥିବା ଜଣାପଡିଥିଲା। ବିକେର ଫୁଲ୍‌ଫର୍ମ ଥିଲା ବାରଙ୍ଗ କିଙ୍ଗ। ବଛାବଛା ଅଫିସରଙ୍କୁ ନେଇ ଅପରେଶନ ସାଇଲେଣ୍ଟ ଭାଇପର୍‌ ଆରମ୍ଭ ହୋଇଥିଲା। ଶୁଣିବାକୁ ମିଳିଥିଲା, ବିବନ ତ୍ରିଶୁଳିଆରେ ଆସି ରହୁଥିଲେ। ବିବନର ପରିବାର ଲୋକେ କେମିତି ଟଙ୍କା ପାଉଛନ୍ତି ସେନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ନାମ ବଦଳାଇ ସେ ପୁଣେର ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ବାଇଁ ନାମରେ ରହୁଥିବା ଜଣାପଡିଥିଲା। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରି ନକଲି ନାମ ଜଳନ୍ଧର ରଖିଥିଲେ। ଭୋଟର ପରିଚୟ ପତ୍ର, ଆଧାର କାର୍ଡ ସମେତ ବ୍ୟାଙ୍କ ପାସ୍‌ବୁକରେ ଜଳନ୍ଧର ନାଁ ରହିଛି। ବିବନ ପରିବାର ଲୋକଙ୍କ ସହ ସମ୍ପର୍କରେ ରହିଥିଲେ। ଏହାକୁ ଟ୍ରାକ କରି ତାଙ୍କୁ ଧରିବାକୁ ପୋଲିସ ଅପରେଶନ ଆରମ୍ଭ କରିଥିଲା। ପୁଣେ ପୋଲିସର ସହଯୋଗରେ ବିବନ ଓରଫ ଜଳନ୍ଧରଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଆମ୍ବିଭ୍ୟାଲିରୁ ଅଢ଼େଇ କି.ମି ଦୂରରେ ରହୁଥିବା ଜଳନ୍ଧରଙ୍କୁ ଧରିବାକୁ ଯିବାବେଳେ ପୋଲିସକୁ ଦେଖି ସେ ଦୌଡ଼ି ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ଟିମ୍‌ ତାଙ୍କୁ କାବୁ କରି ଭୁବନେଶ୍ୱର ଆଣିଥିଲା। ମାମଲାର ତଦନ୍ତ ସିବିଆଇ କରୁଥିବାରୁ ଅଭିଯୁକ୍ତଙ୍କୁ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କମିଶନର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।