ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍‌!

ୱାଶିଂଟନ,୨୯ ।୧୨: ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଭାରତର ବି ପହଞ୍ଚିଗଲାଣି । ଏହାସହ ପାଖାପାଖି ୧୨ଟି ଦେଶରେ ଏହି ନୂଆ ଷ୍ଟ୍ରେନ୍ ପହଞ୍ଚିଥିବା କୁହାଯାଉଛି । ଯାହା ପୁଣିଥରେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଲାଣି । ତେବେ ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁଛି ବୋଲି କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ ଏହା ପ୍ରମାଣ କରାଯାଇନାହିଁ । ବିଶେଷଜ୍ଞଙ୍କ କହିବା କଥା ହେଲା ଯେତେବେଳେ କୌଣସି ଭାଇରସ ବ୍ୟାପିବା ଆରମ୍ଭ କରିଥାଏ ସେ ସମୟ କ୍ରମେ ତା’ର ରୂପ ବଦଳାଇଥାଏ । କେହି କେହି ଦ୍ରୁତ ଗତିରେ ରୂପ ବଦଳାଇ ଥାଆନ୍ତି ତ ପୁଣି କିଏ ଧୀରେ ଧୀରେ ରୂପ ବଦଳାଇ ଥାଆନ୍ତି । ସେହିପରି କୋଭିଡ-୧୯ ଦେଉଥିବା ଭାଇରସର କେତେଗୁଡିଏ ରୂପ ବର୍ଷେ ପୂର୍ବରୁ ଚାଇନାରେ ଦେଖାଯାଇଛି । ଏବେ ବ୍ରିଟେନରେ ନୂଆ ଷ୍ଟ୍ରେନକୁ ନେଇ ୟୁରୋପୀୟ ୟୁନିୟନ ତଥା ଆଉ କିଛି ଦେଶ ବିମାନ ସେବାକୁ ବନ୍ଦ କରି ଦେଇଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବି ଦେଶରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ବ୍ରିଟେନ ଓ ଆମେରିକାର ବିଶେଷଜ୍ଞଙ୍କ ମତରେ ନୂଆ ଷ୍ଟ୍ରେନ୍ ପ୍ରଥମ ଭାଇରସ ତୁଳନାରେ ଦ୍ରୁତ ଗତିରେ ବ୍ୟାପିବ ବା ସଂକ୍ରମିତ କରିବ । ହେଲେ ଏପର୍ଯ୍ୟନ୍ତ ଏହା ପ୍ରମାଣ କରାଯାଇ ନାହିଁ । ବ୍ରିଟିଶ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପୈଟ୍ରିକ୍ ୱାଲାଂସ କହିଛନ୍ତି ଷ୍ଟ୍ରେନ୍ ଖୁବ୍ ଶୀଘ୍ର ବ୍ୟାପୁଛି ଓ କମ୍ ସମୟ ମଧ୍ୟରେ ଏହା ପ୍ରମୁଖ ଭାରିଏଣ୍ଟ ହେବାକୁ ଯାଉଛି । ଲଣ୍ଡନରେ ଡିସେମ୍ବରରେ ୬୦ ପ୍ରତିଶତ ସଂକ୍ରମଣ କେବଳ ନୂଆ ଷ୍ଟ୍ରେନ୍ ଯୋଗୁ ହୋଇଥିବା କୁହାଯାଉଛି । ଚିନ୍ତାର ବିଷୟ ହେଉଛି ଏହି ନୂଆ ଷ୍ଟ୍ରେନର ମ୍ୟୁଟେଶନ ପାଖାପାଖି ୨ ଡଜନରୁ ଅଧିକ । କିଛି ମ୍ୟୁଟେଶନ ସେହି ସ୍ପାଇକ ପ୍ରୋଟିନର ଯାହାର ବ୍ୟବହାର କୋଶିକାକୁ ଯୋଡିବା ଓ ତାକୁ ସଂକ୍ରମଣ କରିବାକୁ ବ୍ୟବହାର କରାଯାଇଥାଏ । ଏବେ ଯେଉଁ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଛି ତାହା ସ୍ପାଇକକୁ ହିଁ ଟାର୍ଗେଟ କରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Share