ଜାଣନ୍ତି ମା’ ଲକ୍ଷ୍ମୀଙ୍କ ଭାଇ କିଏ? ଯାହାଙ୍କ ବିନା ସମସ୍ତ ପୂଜା ରହିଥାଏ ଅଧା…

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। କୁହାଯାଏ ଦୀପାବଳି ଦିନ ରାତିରେ ସମସ୍ତଙ୍କ ଘରେ ଲକ୍ଷ୍ମୀ ବାସ କରିବା ସହ ଅନ୍ନ-ଧନରେ ଭଣ୍ଡାର ଭରି ଦିଅନ୍ତି। ତେବେ କ’ଣ ଆପଣ ଜାଣନ୍ତି ଲକ୍ଷ୍ମୀଙ୍କ ଭାଇ କିଏ, ଯାହାଙ୍କ ବିନା ମନ୍ଦିର ସହ ଘରର ପୂଜାର୍ଚ୍ଚନା ଅଧା ବୋଲି କୁହାଯାଏ…

ସନାତନ ଧର୍ମରେ ଶଙ୍ଖକୁ ମା’ ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଏ। ଏହି କାରଣରୁ ଲକ୍ଷ୍ମୀଙ୍କ ସହ ସର୍ବଦା ଶଙ୍ଖ ଦେଖିବାକୁ ମିଳିଥାଏ। ଯେଉଁଭଳି ଲକ୍ଷ୍ମୀଙ୍କ ପୂଜା ବିନା ଧନଧାନ୍ୟ ପ୍ରାପ୍ତ ହୋଇ ନ ଥାଏ ସେହିଭଳି ଶଙ୍ଖର ଧ୍ୱନି ବିନା ଆଧ୍ୟାତ୍ମିକ ଶକ୍ତି ଏବଂ ସକରାତ୍ମକ ଉର୍ଜା ପ୍ରାପ୍ତ କରିବା ଅସମ୍ଭବ। ଶଙ୍ଖକୁ ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଯଶ ଏବଂ କିର୍ତ୍ତୀମାନର ପ୍ରତିକ ବୋଲି କୁହାଯାଏ।

ମାତା ଲକ୍ଷ୍ମୀଙ୍କ ଭଳି ଶଙ୍ଖର ଉତ୍ପତ୍ତି ସାଗରରୁ ହୋଇଛି। ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, ଶଙ୍ଖର ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟରେ ହୋଇଥିଲା। ସେଥିରୁ ବାହାରିଥିବା ୧୪ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ। ଏହି କାରଣରୁ ଲକ୍ଷ୍ମୀ ଏବଂ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଭାଇ-ଭଉଣୀ ବୋଲି କୁହାଯାଏ। ଶାସ୍ତ୍ରଗୁଡ଼ିକରେ ଶଙ୍ଖକୁ ଲକ୍ଷ୍ମୀଙ୍କ ସାନ ଭାଇ ବୋଲି କୁହାଯାଇଛି। ଶଙ୍ଖ ମଧ୍ୟରେ ଦେବୀ-ଦେବତା ବାସ କରନ୍ତି ବୋଲି କୁହାଯାଏ। ଏହା ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରମୁଖ ଏବଂ ପ୍ରିୟ ଅସ୍ତ୍ର ମଧ୍ୟ।

ଆପଣ ସର୍ବଦା ଲୋକଙ୍କ ଘରର ମନ୍ଦିରରେ ଶଙ୍ଖ ଥିବା ଦେଖିଥିବେ। ଏହାଦ୍ୱାରା ଅନେକ ଲାଭ ମିଳିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶଙ୍ଖରୁ ବାହାରୁଥିବା ଧ୍ୱନୀ କାନରେ ପଡ଼ିବା ଦ୍ୱାରା ଆରୋଗ୍ୟ ରହିବାର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ପୂଜା ସମୟରେ ପ୍ରତିଦିନ ଶଙ୍ଖ ବଜାଇଲେ ନିଃଶ୍ୱାସପ୍ରଶ୍ୱାସ ସହ ଜଡ଼ିତ ରୋଗର ବିପଦ ଦୂର ହୋଇଥାଏ। ଏହାଛଡ଼ା ଶଙ୍ଖ ଧ୍ୱନୀ ଯୋଗୁ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ।

ଦୀପାବଳୀ ନଚେତ ଧନ୍‌ତେରସ ଦିନ ଘରକୁ କିଛି ଶୁଭ ଜିନିଷ ଆଣିବାର ପରମ୍ପରା ରହିଛି। ଏମିତିରେ ଆପଣ ଚାହିଁଲେ ଶଙ୍ଖକୁ ଘରକୁ ଆଣିପାରିବେ। ଦକ୍ଷିଣାବର୍ତ୍ତୀ ଶଙ୍ଖ ଉତ୍ତମ ଥିଲେ ହେଁ ବାମାବର୍ତ୍ତୀ ଶଙ୍ଖ, ଗଣେଷ ଶଙ୍ଖ, ଗୋମୁଖୀ ଶଙ୍ଖ, କୌରୀ ଶଙ୍ଖ, ମୋତି ଶଙ୍ଖ ଏବଂ ହୀରା ଶଙ୍ଖକୁ ମଧ୍ୟ ଘରକୁ ମଧ୍ୟ ଆଣିପାରିବେ।