ବିନା ବିସ୍ଫୋରଣରେ କେମିତି ନିହତ ହେଲେ ଅଲକାଏଦା ମୁଖ୍ୟ

ଓ୍ବାଶିଂଟନ,୨।୮: ଆମେରିକାର ଡ୍ରୋନ ଆକ୍ରମଣରେ ଆଖି ବୁଜିଛନ୍ତି ଅଲ କାଏଦା ମୁଖ୍ୟ ଆୟମାନ ଅଲ-ଜାୱାହିରି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଲ ଜାୱାହିରିଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଏହି ମିଶନ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଆମେରିକା କୌଣସି ବିସ୍ଫୋରଣ କିମ୍ବା ଅନ୍ୟ କାହାର କ୍ଷତି ନ କରି ଅଲ-ଜାୱାହିରିଙ୍କ ମୁଣ୍ଡ ନେଇଛି।
ଏହି ଆକ୍ରମଣ ପାଇଁ ଆମେରିକା ଏହାର ବିପଜ୍ଜନକ ‘ନିଞ୍ଜା ମିସାଇଲ’ ଭାବରେ ଜଣାଶୁଣା ହେଲଫାୟାର ଆର୯ଏକ୍ସ ମିଶାଇଲ ବ୍ୟବହାର କରିଛି। ଆମେରିକାର ଏହି ଆର୯ଏକ୍ସ ମିସାଇଲରେ ଛୁରି ପରି ୬ଟି ବ୍ଲେଡ ଥାଏ ଏବଂ ଟାର୍ଗେଟ କରିବା ପୂର୍ବରୁ ଏହି ବ୍ଲେଡ ବାହାରକୁ ଯାଇଥାଏ। ଏହି ମିଶାଇଲର ବ୍ଲେଡ ଏତେ ବିପଜ୍ଜନକ ହୋଇଥାଏ ଯେ ଏହା ଏକ କୋଠା ଏବଂ କାର ମଧ୍ୟ କାଟି ପାରେ। ଏହି ମିଶାଇଲର ଲକ୍ଷ୍ୟ ଏକଦମ ସଠିକ ହୋଇଥାଏ। ଏଥିରେ ଅନ୍ୟ ଲୋକଙ୍କୁ କ୍ଷତି କରିବାର କମ ସମ୍ଭାବନା ଥାଏ।
ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଆମେରିକା ସରକାର ଏହାକୁ ପରିକଳ୍ପନା କରିଥିଲେ। ଏହି ମିସାଇଲ ଏପରି ଭାବରେ ତିଆରି କରାଯାଇଥିଲା ଯେ ଅନ୍ୟ ସାଧାରଣ ନାଗରିକଙ୍କର କୌଣସି କ୍ଷତି ହେବ ନାହିଁ।
ଆଫଗାନିସ୍ତାନ, ପାକିସ୍ତାନ, ଇରାକ, ସିରିଆ, ସୋମାଲିଆ, ୟେମେନ ଇତ୍ୟାଦି ଦେଶରେ ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଏହି ମିସାଇଲ ଆମେରିକା ଦ୍ୱାରା ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳ ସମୟରେ ଏହା ହୋଇଥିଲା।
ଅଲ-ଜାୱାହିରିଙ୍କୁ ଆମେରିକା ବର୍ଷ ବର୍ଷ ଧରି ଖୋଜୁଥିଲା। ସେ ଆଫଗାନିସ୍ତାନର କାବୁଲରେ ଶରଣ ନେଇଥିଲା। ଆମେରିକା ଏହି ସୂଚନା ପାଇବା ପରେ ଆକ୍ରମଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ରାଷ୍ଟ୍ରପତି ଜୋ ବାଇଡେନ ଏହି ପୂରା ଘଟଣା ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଥିଲେ। ଆକ୍ରମଣର ବହୁ ସପ୍ତାହ ପୂର୍ବରୁ ବାଇଡେନ ନିଜ କ୍ୟାବିନେଟ ମନ୍ତ୍ରୀ ଓ ସହଯୋଗୀଙ୍କ ସହ ବାରମ୍ବାର ମିଟିଙ୍ଗ କରି ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲେ। ଏହାପରେ ଏହି ଆକ୍ରମଣ ଗତ ଶନିବାର ହୋଇଥିଲା। ଜୁଲାଇ ୩୧ ରାତିରେ ଜାୱାହିରି ନିଜ ଘରର ବାଲକୋନି ଉପରେ ବୁଲୁଥିଲେ। ଏତିକି ବେଳେ ୨ଟି ମିଶାଇଲ ମାଡ଼ କରାଯାଇଥିଲା। ଏଥିରେ ସେ ନିହତ ହୋଇଥିଲେ।

Share