ଲଗାଣ ବର୍ଷା ବିତ୍ପାତ: ଭାଙ୍ଗିଛି ଶତାଧିକ କଚ୍ଚା ଘର

ଅମରପାଲି,୭ା୮(ପୀତାମ୍ବର ସାହୁ): ନିକଟରେ ହୋଇଥିବା ଲଗାଣ ବର୍ଷା ପ୍ରଭାବରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ରାସ୍ତାଘାଟ ଧୋଇ ହୋଇଯିବା ସହିତ ପୋଲ ଓ ଆପ୍ରୋଚ ରାସ୍ତା ମଧ୍ୟ ଭାଙ୍ଗିଯାଇଛି। ବର୍ଷା ପ୍ରଭାବରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଗରିବ ଶ୍ରେଣୀର ଲୋକେ। ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଶତାଧିକ କଚ୍ଚାଘର ଭାଙ୍ଗି ଯାଇଛି। ଲୋକେ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଲୋକଙ୍କ ଘରର ମାଟି କାନ୍ଥ ଭାଙ୍ଗି ଯାଇଥିବା ବେଳେ କେତେଜଣଙ୍କ ଘର ଭୁସୁଡି ପଡିଛି। ବର୍ଷା ସମୟରେ ଘର ଭାଙ୍ଗି ଯିବାରୁ କେତେକ ନିଜ ନିଜ ଗାଁ ସ୍କୁଲରେ ଆଶ୍ରୟ ନେଇଥିଲେ। ବ୍ଲକର ଖଣ୍ଡହତା ପଞ୍ଚାୟତ ଅଧୀନ ରାମ୍ଭିପାଲି ଗ୍ରାମର ନାରାୟଣ ବାଙ୍କ, ଚୈତନ୍ୟ ବାଙ୍କ, ସମାରୁ ନାଏକ, ଦିଗଦହନ ବାଙ୍କ, ଗୌରମଣି ବାରିକ, ରାଧେଶ୍ୟାମ ବାରିକ, ମୁରଲି ରାଜହଂସ, ଶଙ୍କର ବାରିକ, ପଞ୍ଚାନନ ବିଶ୍ବାଳ, ବିଶି ବିଶ୍ବାଳ , ବହଳପଦର ପଞ୍ଚାୟତ ଅମରପାଲି ଗ୍ରାମର ରିଙ୍କୁ ସାହୁ, ମୋହନ ପଧାନ, ବିହାରୀ ଦେହୁରୀ, ବଳଭଦ୍ର ରଣା, ସ୍ନେହଲତା ଭୁଇ, ବହଲପଦର ଗ୍ରାମର ପଞ୍ଚାନନ ହୋତା, ମଙ୍ଗଳ ଭୁଇ, ଗୌଡଗାଡର ରଘୁ ବସ୍ତିଆ, ବିଶାଳପାଲିର ଅମ୍ବିକା ସାହୁ, କେନଝିରିଆପାଲି ଗ୍ରାମର ତରଣୀସେନ ନାଏକ, ତେଲିପାଲିର ଗୀତା ଗୁରୁଙ୍କ ଘର ଭାଙ୍ଗିଯାଇଛି। ସେହିପରି ହିଲୁଙ୍ଗ ଗ୍ରାମର ଅମିତ ବାଦୀ, ଲୁତୁରପଙ୍କ ଗ୍ରାମର ସୁଜିତ ମହାକୁର, ଭଲିଆପଦର ଗ୍ରାମର ଶମ୍ଭୁ ଖୁରା, ଚୌହାନପୁର ଗ୍ରାମର ଗିରିଧାରୀ ପଧାନ, ଦୁରଦୁରାର ଚତରୁ ନାଏକ, ବିକଳପୁର ଗ୍ରାମର ଭୂମିସୁତା ନାଏକ, କମିରାର ଜଳତା ବାଦୀ, ଜଗଡା ମହାନନ୍ଦ, ଜଗତ ବାଦୀ, ବେଦମତୀ ବାଦୀ, ପୁଲେଶ୍ବର ଗ୍ରାମର ବୃନ୍ଦାବନ ଭୋଇ, ସତ୍ୟ ଭୋଇ, ବାରଝୁଲା ଗ୍ରାମର ସନ୍ତୋଷ ନାଏକ, ପଦ୍ମନାଭ ନାଏକ, ଅଚଣ୍ଡାର ଲାଲା ନାଏକ, ବରଘାଟ ଦାଦରର ନନ୍ଦି ମହାକୁର, କୁଞ୍ଜାପାଲିର ମଧୁ ଜଗଦଲା, କୁହିଦାଦର ର ମଗସିର ମାହାର, ରିଝେଇଦାଦରର ମୀନ ଦେହେରୀ , ସାଗଯୋରୀ ଗ୍ରାମର ରାଜନ ମୁଣ୍ଡା ଆଦିଙ୍କ ଘର ଭାଙ୍ଗିଯାଇଛି। ଘର ନ ଥିବାରୁ ଉକ୍ତ ପରିବାର ହନ୍ତସନ୍ତ ହେଉଛନ୍ତି। ଅନେକ ଗାଈ ଗୁହାଳ ଓ ଛେଳି ଗୁହାଳ ମଧ୍ୟ ଭାଙ୍ଗିଯାଇଛି। ବିଭାଗ ତରଫରୁ ତୁରନ୍ତ ତଦନ୍ତ କରି କ୍ଷତିପୂରଣ ଦେବା ସହିତ ପଲିଥିନ ଯୋଗାଇ ଦେବାକୁ ଦାବି ହେଉଛି। ଘର ଭାଙ୍ଗିଥିବା ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହିତ ଭାଙ୍ଗିଥିବା ଗୁହାଳ ପାଇଁ ମୋ ଗୁହାଳ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି। ଏନେଇ ବୀରମହାରାଜପୁର ତହସିଲଦାର ବିବୁଧ ଗଡନାୟକଙ୍କୁ ପଚାରିବାରେ ରାଜସ୍ବ ନିରୀକ୍ଷକମାନେ ଗାଁ ଗାଁ ଯାଇ ଘରଭଙ୍ଗା ନେଇ ତଦନ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି। ଏବେ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ ଦିଆଯାଉଛି। କ୍ଷୟକ୍ଷତି ଆକଳନ ପରେ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।