ଭାଙ୍ଗିଲେ ଘର, ଲୋକେ ଆତଙ୍କିତ

ନୀଳଗିରି, ୨୯।୮(ପ୍ରଶାନ୍ତ ବିଶ୍ୱାଳ): ଖାଦ୍ୟ ଅନ୍ବେଷଣରେ ଏବେ ଗାଁମୁହାଁ ଝାଡ଼ଖଣ୍ଡ ହାତୀ। ନୀଳଗିରି ଏନ୍‌ଏସିରେ ଦୁଇଟି ଦନ୍ତା ପଶି ଘର ଭାଙ୍ଗିବା ସହ ବ୍ୟାପକ ଉପଦ୍ରବ ଚଳାଇଛନ୍ତି। ୧୫ଦିନରୁ ଊର୍ଦ୍ଧ୍ୱ ହେବ ଝାଡ଼ଖଣ୍ଡରୁ ଆସିଥିବା ଦୁଇଟି ଦନ୍ତା ହାତୀ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ରହିବା ସହ ନୀଳଗିରି ବିଭିନ୍ନ ସ୍ଥାନରେ ପଶି ଆତଙ୍କ ଖେଳାଇଛନ୍ତି। ରବିବାର ମଧ୍ୟରାତ୍ରରେ କୁଲଡ଼ିହା ଅଭୟାରଣ୍ୟର ପାଦଦେଶରେ ଥିବା ନୀଳଗିରି ଏନ୍‌ଏସି ଅଧୀନ ୩ ନମ୍ବର ୱାର୍ଡ଼ ଚତୁରିସାହି ଗ୍ରାମରେ ଦୁଇଟି ଦନ୍ତା ପଶି ଘର ଭାଙ୍ଗିଥିଲେ। ବୀରେନ୍ଦ୍ର ସିଂଙ୍କ ଘର ଭାଙ୍ଗିବା ସହ ଭାତହାଣ୍ଡି, ଆସବାବପତ୍ର ନଷ୍ଟ କରିଥିଲେ। ଘର ଭିତରେ ପରିବାର ଶୋଇଥିବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେହିପରି କାହ୍ନୁ ସିଂଙ୍କ ବାଡ଼ ଭାଙ୍ଗି ଆସବାବପତ୍ର ନଷ୍ଟ କରିଛନ୍ତି। ମୋହନ ସିଂଙ୍କ ପରିବାର ମଧ୍ୟ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାତିସାରା ଗାଁଲୋକେ ଉଜାଗର ହୋଇ ହାତୀଙ୍କ ପାଖରୁ ପରିବାରଙ୍କୁ ସୁରକ୍ଷା ଦେବାରେ ଲାଗିପଡ଼ିଥିଲେ। ବନବିଭାଗ ଆସି ଲୋକଙ୍କ ସହାୟତାରେ ହାତୀ ଘଉଡ଼ାଇଥିବା ବେଳେ ଦୁଇଟି ହାତୀ କୁଲଡ଼ିହା ଅଭୟାରଣ୍ୟ ସୀମାନ୍ତ ଜଙ୍ଗଲରେ ରହିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଦାବି ସହ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ବନବିଭାଗ ପାଟ୍ରୋଲିଂ ଜୋରଦାର୍‌ କରିବାକୁ ଦାବି କରିଛନ୍ତି।