କାଳବୈଶାଖୀରେ ଘର ଭାଙ୍ଗିଲା

ବଇଣ୍ଡା, ୫ା୪ (ଡି.ଏନ.ଏ.): କିଶୋରନଗର ବ୍ଲକ ବାମୁର, ଫାଶୀପାଳ, ହରିପୁର, କିଶୋରନଗର, ଜାମୁନାଳୀ, ସୁସବ ଆଦି ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ଯୋଗୁ କେତୋଟି ଘର କ୍ଷତିଗ୍ରସ୍ତ ହୋଇଛି। ଚାଳ ଘର ଓ ଆଜବେଷ୍ଟସ ଘରର ଛପର ଉଡ଼ିଯାଇଥିବା ବେଳେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡିଛି। ଫଳରେ ଉକ୍ତ ରାସ୍ତାରେ ଗମନାଗମନରେ ବ୍ୟାଘାତ ସୃଷ୍ଟି ହୋଇଛି। ସେହିପରି ଏକ ଠିକାସଂସ୍ଥାର କ୍ୟାମ୍ପ ଘରଗୁଡିକ ଭାଙ୍ଗିଯାଇଛି। ବିଦ୍ୟୁତ୍‌ ତାର ଛିଣ୍ଡି ପଡିଥିବା ଯୋଗୁ ସେବା ବନ୍ଦ ରହିଛି। କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି କ୍ଷତିପୂରଣ ଯୋଗାଇଦେବା ପାଇଁ ବାମୁର ସରପଞ୍ଚ ସଞ୍ଜୀବ ପ୍ରଧାନ ଦାବି କରିଛନ୍ତି।