ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଠା ଗ୍ରାମର ଚୈତନ୍ୟ ଡାକୁଆଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ଙ୍କ ସୂଚନା ପ୍ରକାରେ ଗୁରୁବାର ସକାଳ ପ୍ରାୟ ୭ ଟାରେ ଶୌଚ ପାଇଁ ପରିବାର ଲୋକେ ପୋଖରୀକୁ ଯାଇଥିବା ବେଳେ ବର୍ଷା ପାଣିରେ ଭିଜି ଭିଜି ବତୁରି ଯାଇଥିବା କାନ୍ଥଟି ଭୁଶୁଡ଼ି ଯାଇଥିଲା। ସୌଭାଗ୍ୟବଶତଃ ଘରେ କେହି ନଥିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସେହିପରି ଗାଁର ଦଳିତ ସାହିରେ ୬ଟି ପରିବାରଙ୍କ ଝାଟି ମାଟି ନିର୍ମିତ କଚା ଘର ପ୍ରଭାବିତ ହୋଇଛି । ଚାଳଛପର ଘରୁ ପାଣି ଗଳୁଛି ବୋଲି ଗାଁର ସାମାଜିକ କର୍ମୀ ରାମହରି ଗୌଡ଼ ଜଣାଇଛନ୍ତି। ସେହିପରି ଗାଇଡ଼ା ଗ୍ରାମର ନିରାକାର ବେହେରାଙ୍କ ଘର କାନ୍ଥ ବୁଧବାର ସକାଳେ ଭୁଶୁଡ଼ି ପଡ଼ିଥିଲା। ସରପଞ୍ଚ ଏବଂ ରାଜସ୍ବ ନିରୀକ୍ଷୀକା ପହଞ୍ଚି ତାଙ୍କୁ ଜରିପାଲ ପ୍ରଦାନ କରିଥିଲେ। ଗୁରୁବାର ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ନିରୀକ୍ଷୀକା ରୁପଶ୍ରୀ ବେହେରା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ସମ୍ପୃକ୍ତ ପରିବାରଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହ ନିର୍ମାଣ ନିମନ୍ତେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟାଦେଶ ପ୍ରଦାନ ପାଇଁ ସରପଞ୍ଚ ଦାବି କରିଛନ୍ତି ।
ପଞ୍ଚାୟତ ତରଫରୁ ବିପନ୍ନମାନଙ୍କ ପରିବାରକୁ ଚାଉଳ ସହ ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି । ଦିଗପହଣ୍ଡି ଏନ୍ଏସି ୨ ନଂ ୱାର୍ଡ ସତ୍ୟନଗର କଲୋନୀ ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଥିବା ଅଭିଯୋଗ ପାଇବା ପରେ ତହସିଲଦାର ସେଠାରେ ପହଞ୍ଚି ଏନ୍ଏସି କର୍ମଚାରୀମାନଙ୍କ ସହାୟତାରେ ଜଳନିଷ୍କାସନ ପାଇଁ ପଦକ୍ଷେପ ନେଇଥିବା କହିଛନ୍ତି ।