ଘର ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବିସ୍ଫୋରକ ସାମଗ୍ରୀ ବିକ୍ରେତା ଗିରଫ, ଗଲେ ଜେଲ୍

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ. ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ପରିବାର ସହ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଘଟଣାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ବିସ୍ଫୋରକ ସାମଗ୍ରୀ ବିକ୍ରେତାଙ୍କୁ ଦିଗପହଣ୍ଡି ଥାନା ପୋଲିସ ଗୁରୁବାର ଅପରାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ଜରଡ଼ା ଥାନା ବାଦପୁର ଗ୍ରାମର ଏଲ. ଆପ୍ପାରାଓ ପାତ୍ର (୬୫)। ଥାନା ମାମଲା ନଂ. ୨୧୯/୨୬, ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ବିସ୍ଫୋରକ ନିୟନ୍ତ୍ରଣ ଆଇନ ଅନୁଯାୟୀ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଅଭିଯୁକ୍ତ ଆପ୍ପାରାଓ ବାଦପୁର ଗାଁରେ ଏକ ଜେନେରାଲ୍ ଷ୍ଟୋର୍ ଚଲାନ୍ତି। ବଜାପଲ୍ଲୀ ଗ୍ରାମର କୈଳାସ ନାଇକ ତାଙ୍କ ଦୋକାନରୁ ବୋମା ତିଆରି ପାଇଁ ସଲଫର ଏବଂ ପୋଟାସିୟମ ନାଇଟ୍ରେଟ୍ ଗୁଣ୍ଡ କିଣିଥିଲେ। ପରେ କୈଳାସ ଏହି ସାମଗ୍ରୀ ସାହାଯ୍ୟରେ ହାତବୋମା ପ୍ରସ୍ତୁତ କରି ଘଟଣାର ମୁଖ୍ୟ ଅଭିଯୁକ୍ତ ଏଲ. ଶିବା ରେଡ୍ଡୀଙ୍କୁ ଦେଇଥିଲେ।

ପୂର୍ବରୁ ଗିରଫ ହୋଇଥିବା କୈଳାସଙ୍କ ସୂଚନା ଆଧାରରେ ତଦନ୍ତକାରୀ ଅଧିକାରୀ ତଥା ଥାନା ଆଇଆଇସି କିଶୋର କୁମାର ସାମଲ ବାଦପୁରରେ ଥିବା ଆପ୍ପାରାଓଙ୍କ ଦୋକାନ ଉପରେ ଚଢ଼ାଉ କରିଥିଲେ। ସେଠାରୁ ବୋମା ତିଆରିରେ ବ୍ୟବହୃତ ହେଉଥିବା ୨୦୦ ଗ୍ରାମ ସଲଫର ଓ ୧ କେଜି ପୋଟାସିୟମ କ୍ଲୋରାଇଡ୍ ଗୁଣ୍ଡ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ସନ୍ଧ୍ୟାରେ ଏହି ବୋମାମାଡ଼ ଘଟଣାର ମାଷ୍ଟରମାଇଣ୍ଡ୍ ଏଲ. ଶିବା ରେଡ୍ଡୀ, ବଜାପଲ୍ଲୀ ଗ୍ରାମର କୈଳାସ ନାଇକ ଏବଂ ବି. ତୁରୁବୁଡ଼ି ଗ୍ରାମର ଜେ. କାହ୍ନୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକକୁ ବ୍ରହ୍ମପୁର ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (JJB) ରେ ହାଜର କରାଯିବା ପରେ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

Dharitri – Odisha’s No.1 Odia Daily

Share