ଜିଲାପାଳଙ୍କୁ ବାସି ଜଳଖିଆ ଦେଇ ଫସିଲେ ହୋଟେଲ ମାଲିକ, ପ୍ରଶାସନର ଏକ ଟିମ ହୋଟେଲରେ ପହଞ୍ଚି…

ନବରଙ୍ଗପୁର,୨୬।୫(ସଦାଶିବ ପ୍ରହରାଜ):, ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣିବେଳେ ଜିଲାପାଳ ମହେଶ୍ବର ସ୍ବାଇଁଙ୍କୁ ବାସି ଏବଂ ନିମ୍ନମାନର ଜଳଖିଆ ପ୍ରଦାନ ଘଟଣାକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଖୋଦ ଜିଲାପାଳ ଖାଦ୍ୟର ମାନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରଶାସନ ତୁରନ୍ତ ଚଢ଼ାଉ କରି ରାଇଘର ଅଞ୍ଚଳର ବିଭିନ୍ନ ହୋଟେଲର ଯାଞ୍ଚ କରିଥିଲା । ଯାଞ୍ଚ ବେଳେ କିଛି ହୋଟେଲରେ ବାସି ଖାଦ୍ୟ ସହ ଅପରିଷ୍କାର ପରିବେଶ ଦେଖିବାକୁ ମିଳିଥିଲା । ଫଳରେ କିଛି ହୋଟେଲ ମାଲିକଙ୍କ ଉପରେ ଜରିମାନା ଲାଗିଥିବାବେଳେ ଗୋଟିଏ ହୋଟେଲକୁ ସିଲ୍‌ କରାଯାଇଛି ।

ରାଇଘର ବ୍ଲକ କାର୍ଯ୍ୟାଳୟରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୁଖ୍ୟ ଅତିଥିଙ୍କ ପାଇଁ ଆସିଥିବା ଜଳଖିଆକୁ ନେଇ ଅଭିଯୋଗ ଉଠିଥିଲା । ଖାଦ୍ୟର ମାନ ନିମ୍ନ ଏବଂ ବାସି ଥିବା ନେଇ ଖୋଦ ଜିଲାପାଳ ସ୍ବାଇଁ ଅସନ୍ତୋଷ ପ୍ରକାଶ କରିଥିଲେ । ଘଟଣା ପରେ ପ୍ରଶାସନର ଏକ ଟିମ ରାଇଘର ମୁଖ୍ୟ ବଜାରରେ ଥିବା ବିଭିନ୍ନ ହୋଟେଲ ଉପରେ ଚଢ଼ାଉ କରିଥିଲା । ଯାଞ୍ଚ ବେଳେ କିଛି ହୋଟେଲରେ ବାସି ଖାଦ୍ୟ ରଖାଯାଇଥିବା ସହ ରୋଷେଇ ଘର ଓ ଷ୍ଟୋର ରୁମ ଅପରିଷ୍କାର ଥିବା ଦେଖାଯାଇଥିଲା। ପ୍ରଶାସନ ପକ୍ଷରୁ କିଛି ହୋଟେଲ ମାଲିକଙ୍କ ଉପରେ ଜରିମାନା ଲାଗୁ ହୋଇଥିବା ବେଳେ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ସେହିପରି କିଛି ହୋଟେଲକୁ ସାତ ଦିନ ମଧ୍ୟରେ ପରିବେଶ ଓ ଖାଦ୍ୟର ମାନ ସୁଧାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଂଘନ କରୁଥିବା ଗୋଟିଏ ହୋଟେଲକୁ ସିଲ ମଧ୍ୟ କରାଯାଇଛି ।
ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ବର୍ଷ ବର୍ଷ ଧରି ଅଞ୍ଚଳରେ ବାସି ଏବଂ ନିମ୍ନମାନର ଖାଦ୍ୟ ବିକ୍ରି ହୋଇଆସୁଥିଲା । ତେବେ ଏହି ଖାଦ୍ୟ ଜିଲାପାଳଙ୍କ ପାଖକୁ ପହଞ୍ଚିବା ପରେ ପ୍ରଶାସନର ନିଦ ଭାଙ୍ଗିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

 

 

Odisha’s No.1 Odia Daily

Share