Categories: ଜାତୀୟ

ଭଙ୍ଗାଯିବ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା ହୋଟେଲ: ଏନଜିଟି…

କୋଲକାତା,୧୯।୨ : ପଶ୍ଚିମବଙ୍ଗର ସୁନ୍ଦରବନରେ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମିତ ହୋଇଥିବା ହୋଟେଲଗୁଡ଼ିକୁ ଭାଙ୍ଗିବାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଏନଜିଟି ସୁନ୍ଦରବନରେ ହୋଟେଲ ନିର୍ମାଣ ପାଇଁ ଅନୁମତି ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ। ପଶ୍ଚିମବଙ୍ଗ ରାଜ୍ୟ ତଟବର୍ତ୍ତୀ ଜୋନ ମ୍ୟାନେଜମେଣ୍ଟ ଅଥରିଟି ଏହି ହୋଟେଲ ନିର୍ମାଣକୁ ବିରୋଧ କରିଥିଲେ।

ଜଷ୍ଟିସ ଏ.କେ ଗୋଏଲଙ୍କ ଏନଜିଟିର ବେଞ୍ଚ ଏହି ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ସୁନ୍ଦରବନ ଦୁର୍ବଳ ଉପକୂଳବର୍ତ୍ତୀ ଅଞ୍ଚଳରେ କୌଣସି ନିର୍ମାଣକୁ ଅନୁମତି ଦିଆଯିବନାହିଁ। କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥରିଟିର ଆପତ୍ତିକୁ କାଏମ ରଖି ବେଞ୍ଚ ନିର୍ମାଣକୁ ବେଆଇନ ଘୋଷଣା କରିଛନ୍ତି।

ତିନି ମାସ ମଧ୍ୟରେ ବେଆଇନ ନିର୍ମାଣକୁ ଭାଙ୍ଗି ଏହି ଅଞ୍ଚଳର ପୁନରୁଦ୍ଧାରକୁ ନିଶ୍ଚିତ କରିବାକୁ କୋଷ୍ଟାଲ ଜୋନ ପରିଚାଳନା ପ୍ରାଧିକରଣ, ଜିଲା ମାଜିଷ୍ଟ୍ରେଟ ଏବଂ ବରିଷ୍ଠ ପୋଲିସ ଅଧୀକ୍ଷକଙ୍କୁ ନେଇ ଏକ ମିଳିତ କମିଟି ଗଠନ କରିବାକୁ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତିି। ବେଞ୍ଚ ଉଲ୍ଲେଖ କରିଛନ୍ତି ଯେ ପ୍ରବଳ ପବନ ଏବଂ ଜୁଆର ଗତିକୁ ରୋକିବା ସହ ଗୁରୁତ୍ୱପୂର୍ଣ୍ଣ ଇକୋସିଷ୍ଟମ ସେବା ଯୋଗାଇ ସୁନ୍ଦରୀଗଛ ଜୀବନ ଏବଂ ସମ୍ପତ୍ତି ରକ୍ଷା କରିଥାଏ।

 

Share