ଶ୍ରାବଣରେ ଟାଇଁ ଟାଇଁ ଖରା

ତେଲକୋଇ, ୩।୮(ଡି.ଏନ.ଏ.): କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ଏକ ଚାଷ ବହୁଳ ଆଦିବାସୀ ଅଞ୍ଚଳ। ଏହି ଅଞ୍ଚଳରେ ଚାଷୀମାନେ ଖରିଫ ଫସଲ (ଧାନ) ଉପରେ ବେଶୀ ନିର୍ଭର କରିଥାନ୍ତି। ଚାଷ କାମ ପାଇଁ ମୌସୁମୀଜନିତ ବର୍ଷା ନିତାନ୍ତ ଆବଶ୍ୟକ। ତେବେ ଜୁନ ଓ ଜୁଲାଇ ମାସରେ ବର୍ଷାର ଅଭାବ ଯୋଗୁ ଚାଷୀଙ୍କ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଏହି ଅଞ୍ଚଳର ୨୨ଟି ପଞ୍ଚାୟତରେ ଜଳସେଚିତ ଜମିର ପରିମାଣ ୮,୨୨୩ ହେକ୍ଟର ରହିଛି। ସେହିପରି ଅଣ ଜଳ ସେଚିତ ଜମିର ପରିମାଣ ୭,୫୮୩ ହେକ୍ଟର ରହିଛି। ସମୁଦାୟ ୧୫,୮୦୯ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରାଯାଇଥାଏ। ତେବେ ବର୍ଷାର ଅଭାବ ପାଇଁ ଚାଷୀ ମାନେ ଧାନ ତଳିର ଗଜା ସାଙ୍ଗକୁ ଧାନ ରୁଆ, ବିହୁଡା କାର୍ଯ୍ୟ ଆଦ୍ୟାବଧି କରିପାରି ନ ଥିବା ଚାଷୀ ଲଳିତ ପ୍ରଧାନ ପ୍ରକାଶ କରିଛନ୍ତି।
କୃଷି ବିଭାଗୀୟ ସୂଚନା ଅନୁଯାୟୀ, ୨୦୨୧ ମସିହା ଜୁନ୍‌ରେ ଆବଶ୍ୟକ ବର୍ଷା ୨୧୦ ମିଲିମିଟର ହୋଇଥିବା ବେଳେ ଚଳିତ ବର୍ଷ ୬୬.୦୫% ରହିଛି। ସେହିପରି ଚଳିତ ବର୍ଷ ଜୁଲାଇରେ ବର୍ଷାର ପରିମାଣ ମାତ୍ର ୩୫.୦୬ % ରହିଛି। ଏହା ନିଅଣ୍ଟିଆ ରହିଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ସେହିପରି ଏହି ବ୍ଲକରେ ୧୨ଟି କ୍ଷୁଦ୍ର ଜଳସେଚନର ଯୋଜନା ଥିବା ସତ୍ତେ ବର୍ଷା ଜଳର ଅଭାବ ଯୋଗୁ ଉକ୍ତ ଜଳ ଭଣ୍ଡାରରେ ଜଳ ନ ଥିବା ଯୋଗୁ ଚାଷୀ ହଇରାଣ ହେବାରେ ଲାଗିଛନ୍ତି। ଏସମ୍ପର୍କରେ କୃଷି ବିଭାଗ ଅଧକାରୀ ଆର.ହାଁସଦାଙ୍କୁ ପଚାରିବାରୁ ଆଗାମୀ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଜଳ ଥିବା ଜମିରେ ଜୁଲାଇ ମାସର ବର୍ଷା ଯୋଗୁ କିଛି ପରିମାଣରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । ଏ ନେଇ ଜିଲା କୃଷି ବିଭାଗକୁ ସୂଚନା ଦିଆଯାଇଛି ବୋଲି କହିଛନ୍ତି।