ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ବେଡଶିଟ୍‌

ନୟାଗଡ,୧୩।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ) ଶର୍ଜରୀ, ମେଡିସିନ୍‌, ଶିଶୁ ଓ ପ୍ରସୂତି ପରି ୱାର୍ଡରେ ରୋଗୀଙ୍କୁ ବେଡଶିଟ୍‌ ଦିଆଯାଉନାହିଁ। ୩ଦିନ ହେଲା ଖାଲି ଶଯ୍ୟାରେ ରୋଗୀ ଶୋଇବା ପରି ଚିତ୍ର ନଜରକୁ ଆସିଛି। ନୂଆ ଏଜେନ୍ସ ନେଲା ପରେ ବଢ଼ିଛି ଅବ୍ୟବସ୍ଥା। ରୋଗୀଙ୍କୁ ବେଡଶିଟ୍‌ ଦେବାକୁ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକୁ ନୂଆ ଏଜେନ୍ସି ଅଣଦେଖା କରିବା ପରେ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ଏ ନେଇ ସର୍ଜରୀ ୱାର୍ଡର କାଳନ୍ଦୀ ଚରଣ ସାହୁ, ପାଣ୍ଡେରୀପଡ଼ାର ଶଶିରେଖା କର, ଖଳିପାଟଣାର ସୁରେନ୍ଦ୍ର ଧଳ, ଖମାରସାହିର ଅନେଖା ପ୍ରଧାନ କୁହନ୍ତି, ପୂର୍ବରୁ ବେଡଶିଟ୍‌ ମିଳୁଥିଲା। ୪ ଦିନ ହେଲା ବେଡଶିଟ୍‌ ଦେଉନାହାନ୍ତି। ଆମେ ଅଭିଯୋଗ କଲେ ଆମ ଅଭିଯୋଗକୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଛନ୍ତି। ଆମେ କିଛି ବେଡଶିଟ୍‌ ଘରୁ ଆଣିଥିଲୁ। ହେଲେ ଆମ ପାଖରେ ପ୍ରତିଦିନ ବେଡଶିଟ୍‌ ବଦଳାଇବାରେ ଅସୁବିଧା ହେଉଛି। ମେଡିସିନ ୱାର୍ଡରୁ ବଡ଼ପୁଟର ଗୀତାଞ୍ଜଳି ପ୍ରଧାନ କୁହନ୍ତି, ସବୁ ୱାର୍ଡରେ ବେଡଶିଟ୍‌ ସମସ୍ୟା ଦେଖା ଦେଇଛି। ଏଜେନ୍ସି ବଦଳିବା ପରେ ଏଭଳି ହୋଇଥିବା କୁହାଯାଉଛି। ପ୍ରତିଦିନ ବେଡଶିଟ୍‌ ମିଳିବ ବୋଲି କୁହାଯାଉଛି। ହେଲେ ବେଡଶିଟ ମିଳୁନି। ୪ଦିନ ହେଲା ଏଭଳି ସମସ୍ୟା ଲାଗି ରହିଛି। ଜିଲାପାଳ ଓ ସିଡିଏମ୍‌ ହସ୍ତକ୍ଷେପ ପରେ ପରିସ୍ଥିତ ବଦଳନ୍ତା ବୋଲି କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ସୁଧାଂଶୁ ଶେଖର ଷଡଙ୍ଗୀ କୁହନ୍ତି, ନୂଆ ଏଜେନ୍ସି ଆସିବା ପରେ ବେଡଶିଟ୍‌ ସମସ୍ୟା ଦେଖା ଦେଇଛି। ନୂଆ ଏଜେନ୍ସିକୁ ବାରମ୍ବାର କହିବା ପରେ କିଛି ସୁଫଳ ମିଳୁନି। ଏଣୁ ୪ଦିନ ହେଲା ରୋଗୀ ବେଡଶିଟ୍‌ ପାଇ ପାରୁନାହାନ୍ତି ଦର୍ଶାଇ କ୍ଷୋଭ ପ୍ରକାଶ କରିଥିଲେ। ତେବେ ରୋଗୀ କିପରି ଶୀଘ୍ର ବେଡଶିଟ୍‌ ପାଇବେ ସେନେଇ ମୋ ପକ୍ଷରୁ ପ୍ରୟାସ ଜାରି ରହିଥିବା କହିଛନ୍ତି। ସାମାଜିକ କର୍ମୀ ବିଭୂତି ପଟ୍ଟନାୟକ ଓ ରାମ ଶଙ୍କର ବେହେରା କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ବେଡଶିଟ୍‌ ନ ପାଇବା ଉଦ୍‌ବେଗର ବିଷୟ। ୪ ଦିନ ହେଲା ରୋଗୀ ବେଡଶିଟ୍‌ ନ ପାଇ କେବଳ ବେଡରେ ଶୋଉଛନ୍ତି। ଇନ୍‌ଫେକଶନ ହେବାର ଭୟ ରହିଛି। ଗୋଟେ ନୂଆ ଏଜେନ୍ସି କାମ ପ୍ରାରମ୍ଭରୁ ମନମାନି ଆରମ୍ଭ କରି ସାରିଲାଣି। ଆଗକୁ ରୋଗୀଙ୍କୁ ଅଧିକ ହଇରାଣ କରିବ। ଏଣୁ ନୂଆ ଏଜେନ୍ସିକୁ ଜିଲାପାଳ ବାତିଲ କରାନ୍ତୁ ବୋଲି ସେମାନେ ଦାବି କରିଛନ୍ତି।