‘ସଂକ୍ରମଣ ବଢ଼ିଲେ ବି ହସ୍ପିଟାଲ ଯିବା ସଂଖ୍ୟା କମ୍‌’

ଭୁବନେଶ୍ୱର, ୧୪ା୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଉପରମୁହଁା ରହିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ଖୁବ୍‌ କମ୍‌ ଦିନରେ ଆମେ ଦ୍ୱିତୀୟ ଲହରର ଶୀର୍ଷକୁ ଅତିକ୍ରମ କରିଯାଇପାରୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ଗୋଟିଏ ମହାମାରୀରେ ପ୍ରଥମେ ସଂକ୍ରମଣ ବଢିବ, ତା’ପରେ କିଛିଦିନ ସମାନ୍ତରାଳରେ ରହିବ ଓ ପରେ କମିବ। ଏବେ ଦେଶରେ କରୋନା ସଂକ୍ରମଣ ବଢୁଛି ତେଣୁ ଆମ ରାଜ୍ୟରେ ମଧ୍ୟ ତାହା ବଢିବାରେ ଲାଗିଛି। ତେବେ ସଂକ୍ରମଣ ବଢିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା ବହୁତ କମ୍‌ ରହିଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ସ୍ଥିତି ଅନୁଯାୟୀ, ସାଧାରଣ ଶଯ୍ୟା ୬.୫୧ ପ୍ରତିଶତ, ଆଇସିୟୁରେ ୧୨.୫୧ ପ୍ରତିଶତ, କ୍ରିଟିକାଲ କେୟାରରେ ୩.୬୨ ପ୍ରତିଶତ ରୋଗୀ ରହିଛନ୍ତି। ବର୍ତ୍ତମାନ ମୁଖ୍ୟତଃ ୫ଟି ଦିଗ ଉପରେ ନଜର ରଖାଯାଇଛି। ଟେଷ୍ଟ ପଜିଟିଭ୍‌ ହାର, ଡାକ୍ତରଖାନାକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା, ମୃତ୍ୟୁହାର, ଲୋକଙ୍କ ବ୍ୟବହାର ଦେଖିବା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ଡାକ୍ତରଖାନାକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା କମ୍‌ ରହିଛି। ଦ୍ୱିତୀୟ ଲହର ତୁଳନାରେ ଡାକ୍ତରଖାନାକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା ଏବେ ବହୁତ କମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଭିତ୍ତିଭୂମି ବଢାଇବା ଜାରି ରଖିବା ସହ ଔଷଧ, ଅକ୍ସିଜେନ ଓ ଶଯ୍ୟା ପ୍ରସ୍ତୁତ କରି ରଖାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମହାପାତ୍ର ସୂଚନା ଦେଇଛନ୍ତି।