କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା।

ମଙ୍ଗଳବାର ଭାରତୀୟ ମଜଦୁର ସଂଘ ତତ୍ତ୍ୱାବଧାନରେ ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସଂଘ ପକ୍ଷରୁ ଗତ ୨୭ ଜୁନ୍‌ରେ ସିଡିଏମ୍‌ଓଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ସତ୍ତ୍ୱେ ସମସ୍ୟା ସମାଧାନ ହୋଇ ନ ଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି।

ସଂଘର ପ୍ରମୁଖ ଦାବି ମଧ୍ୟରେ ପ୍ରତିମାସ ୧ରୁ ୧୫ ତାରିଖ ମଧ୍ୟରେ ଦରମା ପ୍ରଦାନ, ବାୟୋମେଟ୍ରିକ୍‌ ମେଶିନ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଉପସ୍ଥାନ ଅନୁଯାୟୀ ଦରମା, ବକେୟା ପିଏଫ୍‌ ଟଙ୍କା ତୁରନ୍ତ ଜମା, କର୍ମଚାରୀଙ୍କ କାର୍ଯ୍ୟ ପାଇଁ ଆବଶ୍ୟକ ଗାଇଡ୍‌ଲାଇନ ଯୋଗାଇବା ସହ ବକେୟା ଦରମା ଶୀଘ୍ର ପ୍ରଦାନ କରିବାକୁ ଦାବି ହୋଇଛି। ହସ୍ପିଟାଲରେ କାର୍ଯ୍ୟରତ ସୁଇପର, ଗାର୍ଡ, ମାଳି ଓ ଅନ୍ୟ କର୍ମଚାରୀଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ସଂଘ ଦାବି କରିଛି ବୋଲି ଉପଦେଷ୍ଟା ପରମେଶ୍ୱର ବିଷୋୟୀ କହିଛନ୍ତି। ଦାବିଗୁଡ଼ିକ ପୂରଣ ନ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଲିଖିତ ଭାବେ ଚେତାବନୀ ଦିଆଯାଇଛି।

ଏହାଦ୍ୱାରା ହସ୍ପିଟାଲର ସେବା ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ପ୍ରଶାସନ ତୁରନ୍ତ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ସଂଘ ଦାବି କରିଛି। ଏହି ଆନ୍ଦୋଳନକୁ ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରତିନିଧିମାନେ ସମର୍ଥନ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Share