କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ହସ୍ପିଟାଲର ଲାଇସେନ୍ସ ରଦ୍ଦ

ଥାନେ,୨୪।୮: କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ଏକ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ ହସ୍ପିଟାଲ ବିରୋଧରେ ସରକାରୀ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ମହାରାଷ୍ଟ୍ରର ଥାନେରେ ଥିବା ଶ୍ରୀଦେବୀ ହସ୍ପିଟାଲରେ। ସୂଚନାଯୋଗ୍ୟ, କଲ୍ୟାଣ ଡୋମ୍ବିଭାଲି ମ୍ୟୁନସିପାଲିଟି କର୍ପୋରେଶନ (କେଡିଏମ୍‌ସି) ସ୍ଥିତ ଶ୍ରୀଦେବୀ ହସ୍ପିଟାଲ କରୋନା ରୋଗୀଙ୍କଠାରୁ ଅତ୍ୟଧିକ ଫି’ ଆଦାୟ କରୁଛି ବୋଲି ଅଭିଯୋଗ ହୋଇଥିଲା। ଏଥିସହ ସମସ୍ତ ସରକାରୀ ନିର୍ଦ୍ଦେଶ ମଧ୍ୟ ପାଳନ ହୋଇ ନ ଥିବା ଅଭିଯୋଗ ହୋଇଥିଲା। ଏହାପରେ କେଡିଏମ୍‌ସି କମିଶନର ଡା.ବିଜୟ ସୂର୍ଯ୍ୟବଂଶୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ହସ୍ପିଟାଲର ଲାଇସେନ୍ସ ଅଗଷ୍ଟ ୩୧ ଯାଏ ରଦ୍ଦ କରାଯାଇଛି। ଅନ୍ୟପଟେ ଉକ୍ତ ହସ୍ପିଟାଲରେ ହୋମ୍‌ ଡାଇଲିସିସ୍‌ ସେବା ପ୍ରଦାନ କରିବାକୁ ଅନୁମତି ଦିଆଯାଇଥିବା ବେଳେ କିନ୍ତୁ ନୂଆ ରୋଗୀ ଭର୍ତ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାପଡ଼ିଛି। ସୂଚନା ମୁତାକ ଅନେକ ରାଜ୍ୟରେ କରୋନା ଚିକିତ୍ସା ପାଇଁ ଫି’ ସ୍ଥିର କରାଯାଇଛି। ତେଣୁ ନିର୍ଦ୍ଧାରିତ ଫି’ରୁ ଅଧିକ ଟଙ୍କା ଆଦାୟ ନ କରିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ ବି ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ନଜର ଆସୁଛି।

Share