ମାଷ୍ଟରକ୍ୟାଣ୍ଟିନ୍‌ରେ ପୁଣି ଝଲସିବ ଐତିହ୍ୟ ଘୋଡା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଅବସ୍ଥାପିତ ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତରଣ ନିଷ୍ପତ୍ତିରେ ପୂର୍ଣ୍ଣଛେଦ ପଡିଛି। ଏହାର ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସ୍‌ସିଏଲ୍‌)ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି।

ଶନିବାର ଘୋଡାର ପାର୍ଶ୍ୱରେ ଥିବା ନର୍ତ୍ତକୀ ମୂର୍ତ୍ତିର ପୁନରୁଦ୍ଧାର କରିବା ପାଇଁ ସ୍ଥାନାନ୍ତରଣ କରାଯାଇଥିଲା। ତେବେ ସ୍ଥାନାନ୍ତରଣ ସମୟରେ ଏକ ମୂର୍ତ୍ତି ପେଟ ପାଖରୁ ଭାଙ୍ଗିଯାଇଥିଲା। ଏହାକୁ ଅଠାଦେଇ ଯୋଡାଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ମୂର୍ତ୍ତି ଗୁଡିକରେ ଶିଉଳି ମାଡି ଯାଇଛି। ଏତିହ୍ୟର ସୌନ୍ଦର୍ଯ୍ୟକରଣ ପାଇଁ ଏକ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ କରାଯାଇଛି। ସୌନ୍ଦର୍ଯ୍ୟକରଣର ଦାୟିତ୍ୱ ନେଇଛନ୍ତି ପଦ୍ମବିଭୂଷଣ ସୁଦର୍ଶନ ସାହୁ। ଆସନ୍ତା ଅଢେଇ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି।

ଏହାଦ୍ୱାରା ସ୍ମାର୍ଟ ସିଟିର ସୌନ୍ଦର୍ଯ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହେବ। ମରାମତି ସହ ଏହାର ଚାରିପାଖରେ ଲାଇଟିଂର ବ୍ୟବସ୍ଥା ହେବ। ମୂର୍ତ୍ତି ସଂଲଗ୍ନ ଚଟାଣକୁ ସମତୁଲ କରାଯିବା ପରେ ସେଠାରେ ସୌନ୍ଦର୍ଯ୍ୟକରଣ କାମ ହେବ। ସେହିପରି ଘୋଡାର ଚାରିପାର୍ଶ୍ୱରେ ପଥରରେ ଆନିମେସନ ହୋଇ ଓଡ଼ିଶାର ସୁନ୍ଦର କଳାକୃତି କରାଯିବ। ନର୍ତ୍ତକୀଗୁଡିକୁ ଘୋଡା ପାର୍ଶ୍ୱରୁ ହଟାଯାଇ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ରାସ୍ତା ମଝିରେ ଏକ ଗାର୍ଡେନ ଭଳି କରାଯାଇ ସେଗୁଡିକୁ ସ୍ଥାପନ କରାଯିବ। ସମସ୍ତ ମୂର୍ତ୍ତିର ମରାମତି କାମ ହୋଇ ପୁନରୁଦ୍ଧାର ଆରମ୍ଭ କରାଯାଇଛି। ମରାମତି ପରେ ରଙ୍ଗ ଦେଇ ସେଗୁଡିକୁ ପୂର୍ବ ସ୍ଥାନରେ ସ୍ଥାପନ କରାଯିବ। ବହୁ ବାଦ ବିବାଦ ପରେ ମୂର୍ତ୍ତିକୁ ସେହି ସ୍ଥାନରେ ରଖାଯାଇଥିବାରୁ ପଦ୍ମବିଭୂଷଣ ସୁଦର୍ଶନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।